ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର,ଜାଣନ୍ତୁ କଣ ବ୍ୟବସ୍ଥା ରହିଛି
ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର,ଜାଣନ୍ତୁ କଣ ବ୍ୟବସ୍ଥା ରହିଛି
admin
Dec 22, 2020 - 09:02
Updated: Dec 22, 2020 - 09:02
ପୁରୀ: ଚଳିତ ୨୩ ରୁ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ । ପ୍ରଥମ ତିନି ଦିନ ସେବାୟତ ପରିବାରର ମହିଳା ସଦସ୍ୟ ଦର୍ଶନ କରିବେ । ସେବାୟତ ପରିବାରକୁ ମିଳିଥିବା ସ୍ୱାସ୍ଥ୍ୟବୀମା କାର୍ଡ ଦେଖି ଦେଉଳ ପ୍ରବେଶ ଅନୁମତି ମିଳିବ । ଡିସେମ୍ବର ୨୬ ରୁ ସହରର ୩୨ଟି ୱାର୍ଡର ଲୋକଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହେବ । ପ୍ରତିଦିନ ୫ଟି ୱାର୍ଡର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ । ଡିସେମ୍ବର ୩୧ ପର୍ଯ୍ୟନ୍ତ ସହରବାସୀଙ୍କ ଦର୍ଶନ ଜାରି ରହିବ । ଏହି ତାରିଖ ସୁଦ୍ଧା ଦର୍ଶନ କରିପାରିନଥିବା ସହରର ଭକ୍ତମାନେ ଜାନୁଆରୀ ୩ ରୁ ଦର୍ଶନ କରିପାରିବେ । କିନ୍ତୁ ସେମାନେ କୋଭିଡ ନେଗେଟିଭ ପ୍ରମାଣ ପତ୍ର ଏବଂ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ରକୁ ଦେଖାଇ ଶ୍ରୀମନ୍ଦିର ଦର୍ଶନ ଦର୍ଶନ କରିପାରିବେ । ଦୈନିକ ୫ ହଜାରରୁ ଅଧିକ ଲୋକ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ସୋମବାର ଶ୍ରୀମନ୍ଦିର ଦର୍ଶନ ମାର୍ଗଦର୍ଶିକା ଘୋଷଣା ବେଳେ ଜିଲ୍ଲାପାଳ ବଲୱନ୍ତ ସିଂହ କରିଛନ୍ତି । ଦର୍ଶନ ମାର୍ଗଦର୍ଶିକା ନିର୍ଦ୍ଧାରଣ ପାଇଁ ଶ୍ରୀମନ୍ଦିର ଅଫିସରେ ଅନୁଷ୍ଠିତ ଏକ ବୈଠକ ପରେ ଜିଲ୍ଲାପାଳ କହିଥିଲେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଭୋଗ ପରେ ଦର୍ଶନ ଆରମ୍ଭ ହେବ । ରାତି ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଖୋଲା ରହିବ । ପ୍ରତି ୱାର୍ଡର ଦର୍ଶନାର୍ଥୀଙ୍କୁ ଚାରି ଘଣ୍ଟାରେ ଦର୍ଶନ ସମୟ ମିଳିବ । ପ୍ରତି ପରିବାରର ମୁଖିଆଙ୍କୁ ଗୋଟିଏ ଦର୍ଶନ ଟୋକନ ମିଳିବ । ଏହି ଟୋକନ ଦେଖାଇ ପରିବାରର ସମସ୍ତ ସଦସ୍ୟ ଶ୍ରୀମନ୍ଦିର ଦର୍ଶନ କରିବେ । ପ୍ରତ୍ୟେକ ୱାର୍ଡ ପାଇଁ ଦର୍ଶନ ତାରିଖ ଏବଂ ସମୟ ନିର୍ଦ୍ଧାରଣ ହେବ । ଦର୍ଶନ ତାରିଖର ଦୁଇ ଦିନ ପୂର୍ବରୁ ପ୍ରତି ୱାର୍ଡରେ ଟୋକନ ଦିଆଯିବ । ସହରର କୌଣସି ଲୋକ ଦର୍ଶନରୁ ବଞ୍ଚିତ ହେବେ ନାହିଁ । ଜିଲ୍ଲାପାଳ କହିଥିଲେ, ପରୀକ୍ଷାମୂଳକ ଭାବେ ସେବାୟତ ପରିବାର ଏବଂ ସହରବାସୀଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ମାର୍ଗଦର୍ଶିକାରେ କିଛି ତ୍ରୁଟି ନଜରକୁ ଆସିଲେ ସୁଧାର କରାଯିବ । ଜାନୁଆରୀ ୩ ରୁ ଜିଲ୍ଲା ବାହାର ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହେବ । ଗଙ୍ଗାସାଗର ମେଳା (ମକର ସଂକ୍ରାନ୍ତି) ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ଆଧାରରେ ଦର୍ଶନ ଜାରି ରହିବ । ଗଙ୍ଗାସାଗର ମେଳା ପରେ ଦର୍ଶନ ମାର୍ଗଦର୍ଶିକାରେ ସମୀକ୍ଷା କରାଯିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଆଧାରରେ ୬୫ ବର୍ଷରୁ ଅଧିକ ଏବଂ ଦଶ ବର୍ଷରୁ କମ୍ ବୟସ୍କ ଭକ୍ତଙ୍କୁ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।