ଆସନ୍ତା ବର୍ଷ ପ୍ରଥମ ମାସ ସୁଦ୍ଧା ଆସିପାରେ କରୋନା ଟିକା
ଆସନ୍ତା ବର୍ଷ ପ୍ରଥମ ମାସ ସୁଦ୍ଧା ଆସିପାରେ କରୋନା ଟିକା
admin
Oct 3, 2020 - 09:22
Updated: Oct 3, 2020 - 09:22
କରୋନା ଭାଇରସ୍ ଟିକା କେବେ ଉପଲବ୍ଧ ହେବ ତାହା ସଠିକ୍ ଭାବେ କହିବା ଏକ ଜଟିଳ ବ୍ୟାପାର । କିନ୍ତୁ ଜାନୁଆରି ୨୦୨୧ ସୁଦ୍ଧା ଦେଶରେ ଏକ ଫଳପ୍ରଦ କୋଭିଡ୍ ଟିକା ଉପଲବ୍ଧ ହୋଇପାରେ । ଯଦି ସବୁ କିଛି ଯୋଜନା ଅନୁଯାୟୀ ଠିକ୍ ଠାକ୍ ଆଗକୁ ଚାଲେ ତେବେ କୋଭିଡ୍ ଟିକା ୨୦୨୧ ଜାନୁଆରି ସୁଦ୍ଧା ଆସିଯିବ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି । ଗୁଲେରିଆ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ, ପ୍ରାରମ୍ଭରେ କରୋନାର ଯେଉଁ ଡୋଜ୍ ଉପଲବ୍ଧ ହେବ ତାହା ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ଯଥେଷ୍ଟ ନୁହେଁ । ତେବେ ଟିକା ପ୍ରସ୍ତୁତ ହୋଇଗଲେ ମଧ୍ୟ ଅନ୍ୟ ଏକ ବଡ଼ ଚ୍ୟାଲେଂଜ ରହିଛି। ଗୁଲେରିଆ କହିଛନ୍ତି, ଟିକା ପ୍ରସ୍ତୁତ ହେବାପରେ ଦ୍ବିତୀୟ ଚ୍ୟାଲେଂଜ ହେଉଛି ବ୍ୟାପକ ଭାବେ ଏହାର ଉତ୍ପାଦନ ଏବଂ ବଣ୍ଟନ । ତେବେ ଦେଶରେ କୋଭିଡ୍ ଟିକା ବଣ୍ଟନ ସଂକ୍ରାନ୍ତରେ ଏକ ମଡେଲ୍ ଅନୁକରଣ କରାଯିବ ବୋଲି ସେ କହିଛନ୍ତି । ଏହି ମଡେଲ୍ ଅନୁଯାୟୀ ଯେଉଁମାନେ ସବୁଠୁ ଅଧିକ ବିପଦରେ ଥିବେ ସେମାନଙ୍କୁ ପ୍ରଥମେ ଟିକା ମିଳିବ । ଦୁଇଟି ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଉଛି । ସ୍ବାସ୍ଥ୍ୟକର୍ମୀଙ୍କ ସହ କରୋନା ଯୋଦ୍ଧା ଏବଂ ଯେଉଁମାନଙ୍କଠାରେ ମୃତ୍ୟୁର ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ପ୍ରଥମେ ଟିକା ଦିଆଯିବ ବୋଲି ଗୁଲେରିଆ କହିଛନ୍ତି । ଯଦି ମଡେଲ୍କୁ ଅନୁକରଣ କରାନଯାଏ ତେବେ ଅଧିକ ମୃତ୍ୟୁ ହେବ ଏବଂ ମହାମାରୀ ଅଧିକ ବ୍ୟାପିବ ବୋଲି ଗୁଲେରିଆ ଚେତାଇ ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଥିବାରୁ ଗୁଲେରିଆ ସମସ୍ତଙ୍କୁ କୋଭିଡ୍ ପ୍ରୋଟକଲ୍ ମାନିବାପାଇଁ ପରାମର୍ଶ ଦେଇଛନ୍ତି ।