ଆଜି ଭାରତ ବନ୍ଦ, ଜାଣନ୍ତୁ କାହିଁକି
ଆଜି ଭାରତ ବନ୍ଦ, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ଓବିସିଙ୍କ ଜାତିଭିତ୍ତିକ ଜନଗଣନା କରିବା, ଇଭିଏମ୍ ଟାମ୍ପରିଂ, ଘରୋଇକରଣ ବନ୍ଦ କରିବା ଆଦି ବିଭିନ୍ନ ଦାବିରେ ମଙ୍ଗଳବାର ଭାରତ ବନ୍ଦ ପାଇଁ ଡ଼ାକରା ଦିଆଯାଇଛି । ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଏହି ଡାକରା ଦେଇଛି । ଧାରଣା, ବିକ୍ଷୋଭ, ଏବଂ ରାସ୍ତାରୋକ ଆଦି କରାଯିବା ସମ୍ଭାବନା ରହିଛି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଜିଲାପାଳଙ୍କୁ ସତର୍କ କରାଇଛନ୍ତି । ବନ୍ଦ ସମୟରେ ଜିଲ୍ଲା ଗୁଡ଼ିକରେ ଯେପରି ଅତ୍ୟାବଶ୍ୟକ ସେବା ଗୁଡ଼ିକ ଜାରି ରୁହେ, ତାହା ସୁନିଶ୍ଚିତ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆଗୁଆ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି ।
ଏହାସହ ବନ୍ଦକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଗୃହବିଭାଗର ସ୍ୱତନ୍ତ୍ର ସଚିବ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ବନ୍ଦ ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ସମସ୍ତ କର୍ମଚାରୀଙ୍କୁ ସକାଳ ସାଢେ଼ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି ।