ଆଗାମୀ ଦିନରେ ମିଶନ ଶକ୍ତି ଆହୁରି ସଶକ୍ତ ହେବ : ନବୀନ

ଆଗାମୀ ଦିନରେ ମିଶନ ଶକ୍ତି ଆହୁରି ସଶକ୍ତ ହେବ : ନବୀନ

ଆଗାମୀ ଦିନରେ  ମିଶନ ଶକ୍ତି ଆହୁରି ସଶକ୍ତ ହେବ  : ନବୀନ

ଭୁବନେଶ୍ୱର: ଓଡିଶାର ମିଶନ ଶକ୍ତି କାର୍ୟ୍ୟକ୍ରମରେ ଆରମ୍ଭ ହୋଇଛି ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଏଥିରେ ସହଯୋଗର ହାତ ବଢାଇଛି ଓଡିଶା ଗ୍ରାମ୍ୟ ବ୍ୟାଙ୍କ । ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ପ୍ରିୟ କାର୍ୟ୍ୟକ୍ରମ ମିଶନ ଶକ୍ତିର ମା ମାନଙ୍କ ପାଇଁ ଆଜି ଆରମ୍ଭ ହୋଇଛି ମେଗା ଋଣ ପ୍ରଦାନ କାର୍ୟ୍ୟକ୍ରମ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ। ଏକାଦିନରେ କେବଳ ମା ମାନଙ୍କ ପାଇଁ ଏତେ ବଡ ଋଣ ପ୍ରଦାନ କାର୍ୟ୍ୟକ୍ରମ ପୂର୍ବରୁ କେବେ ହୋଇନାହିଁ। ଉପସ୍ଥିତ ଥିବା ୫ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ୧୦ ଲକ୍ଷ୍ ଲେଖା ଋଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିଥିଲା।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ମିଶନ ଶକ୍ତି କାର୍ୟ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ୟ୍ୟକ୍ରମକୁ ଆଗେଇ ନେବା ଓ ଓଡିଶାର ରୂପାନ୍ତରରେ ଭାଗୀଦାର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ଆହ୍ବାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବାରେ ଓଡିଶା ଏକ ଆଗୁଆ ରାଜ୍ୟ। ଓଡିଶାର ଘରେ ଘରେ, ଗାଁ ଗାଁରେ ଆଜି ମିଶନ ଶକ୍ତି ଆଜି ତାର ଜୟଯାତ୍ରା ଜାରି ରଖିଛି ଏବଂ ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ ବୋଲି ସେ କହିଥିଲେ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାସ୍ତରୀୟ ଫେଡେରେସନ ମାନଙ୍କ ପାଇଁ ଏକ କୋଟି ଏବଂ ବ୍ଲକ୍ସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଏହାସହିତ ମା ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ମିଶନ ଶକ୍ତି କାର୍ୟ୍ୟକ୍ରମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମେକ୍‌-ଇନ୍‌-ଓଡିଶା କାର୍ୟ୍ୟକ୍ରମରେ ଏହା ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପୁରସ୍କାର ପାଇଛି ଏବଂ ମା ମାନଙ୍କୁ ୧୦୦୧କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି।