ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ : ନିରଞ୍ଜନ

ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ : ନିରଞ୍ଜନ

ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ : ନିରଞ୍ଜନ
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଆକ୍ରମଣକାରୀ ବିଜେପି ଯୁବ ମୋର୍ଚ୍ଚା କର୍ମୀ ବୋଲି ଜଣାଯାଇଛି । ଏକଥା ଆମେ କହୁନାହୁଁ । ଆକ୍ରମଣ ଘଟଣାକୁ ନେଇ ନିରଞ୍ଜନ ପଟ୍ଟନାୟକ କରିଥିବା ଟୁଇଟରୁ ଏହା ଜଣାପଡ଼ିଛି । ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ନେଇ ନିରଞ୍ଜନ ଟୁଇଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ମୋ ଗାଡ଼ିକୁ ଆକ୍ରମଣ କରିଥିଲେ । ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ପିଟିଥିଲେ । ଏନେଇ ଥାନାରେ ଏତଲା ହୋଇଛି । ତେବେ ଆକ୍ରମଣକାରୀ ବିଜେପି ଯୁବମୋର୍ଚ୍ଚା କର୍ମୀ ବୋଲି ଜାଣି ମୁଁ ଚକିତ । ଏହା ବିଜେପିର ରାଜନୈତିକ ଅଭିସନ୍ଧି ଓ ନୈରାଶ୍ୟର ପ୍ରତିଫଳନ । ବିଜେପି ପାଇଁ କଂଗ୍ରେସ ସବୁଠୁ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଏମିତି କାଣ୍ଡ ଘଟିଛି । କାହିଁକି ବିଜେପି ଏମିତି କାପୁରୁଷୋଚିତ ଆଚରଣ କରୁଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଯଦି ମୋ ସହ ଏଭଳି ହେଲା ତେବେ ଆମ ମା’ ଓ ଝିଅମାନେ କେତେ ସୁରକ୍ଷିତ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ମହାନ୍ତିଙ୍କୁ ଅଟକ ରଖିଥିବା ଜଣାଯାଇଛି । ପୁଲିସ ତାଙ୍କୁ ପଚରାଉଚୁରା କରୁଛି । ପ୍ରକାଶ ଯେ, ଗତକାଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ତାଙ୍କ ପିଏସଓ ରାଜେଶ ସିଂହ ଗାଡ଼ିରେ ଯାଉଥିଲେ । କାଶୀପୁରଠାରେ ସଂଜୟ ମହାନ୍ତିଙ୍କ ସମେତ କିଛି ଅସାମାଜିକ ଯୁବ ଏକ ବୋଲେରୋରେ ଆସି ଗାଡ଼ି ଅଟକାଇଥିଲେ । ସେମାନେ ଗାଳିଗୁଲଜ ଆରମ୍ଭ କରି ଦେଇଥିଲେ । ଫଳରେ ପିଏସଓ ରାଜେଶ ପ୍ରତିବାଦ କରିବାରୁ ତାଙ୍କୁ ତଂଟିଚିପିବା ସହ ମାଡ଼ ମାରିଥିଲେ । ଯୁବକମାନେ ଗାଡ଼ି ଉପରେ ଚଢ଼ି ହଙ୍ଗାମା ବି କରିଥିଲେ । ଖବର ପାଇଁ କଂଗ୍ରେସ କର୍ମୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଫଳରେ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଅପରପକ୍ଷରେ କେନ୍ଦୁଝର ଥାନାରେ ଏନେଇ ଏତଲା ଦିଆଯାଇଥିଲା ।