ଆଉ ୧୦ ଖଣି ପାଇଁ ଟେଣ୍ଡର
ଆଉ ୧୦ ଖଣି ପାଇଁ ଟେଣ୍ଡର
admin
Oct 16, 2019 - 05:44
Updated: Oct 16, 2019 - 05:44
ଭୁବନେଶ୍ୱର: ଆଉ ୧୦ଟି ଖଣିର ଇ-ନିଲାମ ପାଇଁ ସୋମବାର ରାଜ୍ୟ ସରକାର ଟେଣ୍ଡର ଡାକିଛନ୍ତି । ଏହି ପର୍ଯ୍ୟାୟରେ ନିଲାମ ହେବାକୁ ଥିବା ଖଣି ମଧ୍ୟରେ ୫ଟି ଲୁହପଥର ବ୍ଲକ, ୩ଟି ମାଙ୍ଗାନିଜ ମିଶା ଲୁହାପଥର ବ୍ଲକ ଏବଂ ୨ଟି ମାଙ୍ଗାନିଜ୍ ବ୍ଲକ ରହିଛି । ଡିସେମ୍ବର ୧୯ ରୁ ୨୭ ମଧ୍ୟରେ ଏସବୁ ଖଣିର ନିଲାମ ହେବ । ଏଥି ସହିତ ଚଳିତ ଆର୍ଥିକ ବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ ୨୭ଟି ଖଣି ପାଇଁ ସରକାର ଟେଣ୍ଡର ଆହ୍ୱାନ କରିଛନ୍ତି । ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ନୋଟିସ ମୁତାବକ, ଏହି ଖଣି ଗୁଡ଼ିକ ପାଇଁ ଫାଇନାନ୍ସିଆ ବିଡ୍ ଅନ୍ଲାଇନରେ ଆହ୍ୱାନ କରାଯାଇଛି । ଟେକ୍ନିକାଲ ବିଡ୍ ଉଭୟ ଅନଲାଇନ ଓ ଅଫ ଲାଇନରେ ଗ୍ରହଣ କରାଯିବ । ଆଗ୍ରହୀ ତଥା ଯୋଗ୍ୟ ବିଡରମାନେ ନଭେମ୍ବର ୨୨ ମଧ୍ୟରେ ୫ ଲକ୍ଷ ଟଙ୍କାର ଟେଣ୍ଡର ଫି’ଦେଇ ଇ ନିଲାମି ପ୍ଲାଟଫର୍ମରୁ ଟେଣ୍ଡର ଡକୁ୍ୟମେଣ୍ଟ କିଣିପାରିବେ । ନଭେମ୍ବର ୨୮ ଟେଣ୍ଡର ଦାଖଲର ଶେଷ ଦିନ । ୨୦୨୦ ଜାନୁଆରୀ ୧୫ ରେ ଖଣିର ବିଡ଼ ବିଜେତାଙ୍କୁ ଲେଟର ଅଫ ଇଣ୍ଟେଣ୍ଟ (ଏଲଓଆଇ) ଜାରି କରାଯିବ ।
ଏହି ପର୍ଯ୍ୟାୟରେ ନିଲାମ ହେବାକୁ ଥିବା ଖଣି ତାଲିକାରୁ ଗୋରୁମହିଷାଣୀ ଲୁହାପଥର ଖଣି, ବାଦାମପାହାଡ଼ରୁ ଲୁହାପଥର ଖଣି, ଜାଜଙ୍ଗ ଲୁହାପଥର ଖଣି, ନବାଡିହ ଲୁହାପଥର ଖଣି, ବାଲ୍ଦା ଲୁହାପଥର ଖଣି, କାଟାସାହି ମାଙ୍ଗାନିଜ ଖଣି, କାନ୍ଥର କୋଇରା ମାଙ୍ଗାନିଜ ଖଣି, ନଦୀଡିହ ଲୁହାପଥର ଓ ମାଙ୍ଗାନିଜ ବ୍ଲକଳ, ତେହେରାଇ ଲୁହାପଥର ଓ ମାଙ୍ଗାନିଜ ବ୍ଲକ ଏବଂ କୋଲମୋଙ୍ଗ ଲୁହାପଥର ମାଙ୍ଗାନିଜ ବ୍ଲକ ।
ସୂଚନା ଥାଉ କି ଏହା ପୂର୍ବରୁ ଅକ୍ଟୋବର ୪ ରେ ରାଜ୍ୟ ସରକାର ୭ଟି ଲୁହାପଥର ବ୍ଲକ ସମେତ ମୋଟ ୧୦ ଟି ଖଣି ପାଇଁ ଟେଣ୍ଡର ଡାକିଥିଲେ । ସେହିଭଳି ଜୁଲାଇ ୩୧ରେ ସରକାର ୭ଟି ଖଣିଜ ବ୍ଲକ ନିଲାମ ପାଇଁ ଇ-ବିଡ ଆହ୍ୱାନ କରିଥିଲେ । ଏଥିରେ ୪ଟି ଲୁହାପଥର, ଗୋଟିଏ ଗ୍ରାଫାଇଟ ଓ ୨ଟି କ୍ରୋମାଇଟ ଖଣିକୁ ନିଲାମରେ ରଖାଯାଇଥିଲା ।