ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷରେ ଅଶ୍ବିନ

ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷରେ ଅଶ୍ବିନ

ଦୁବାଇ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଅଶ୍ବିନ ୬ଟି ୱିକେଟ ନେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ପ୍ରଦର୍ଶନ ଯୋଗୁ ଅଶ୍ବିନ ଟେଷ୍ଟରେ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ୧ ରନରେ ପରାଜିତ ହୋଇଥିଲା। ଆଣ୍ଡରସନ ସେଭଳି ପ୍ରଦର୍ଶନ କରିପାରିନଥିବାରୁ ବୋଲିଂ ମାନ୍ୟତାର ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି।୨୦୧୫ରେ ଅଶ୍ବିନ ପ୍ରଥମ ଥର ପାଇଁ ଟେଷ୍ଟରେ ଏକ ନମ୍ବର ବୋଲର ହୋଇଥିଲେ। ଏହା ପରଠାରୁ ଅଶ୍ବିନ କ୍ରମାଗତ ଭାବେ ଶ୍ରେଷ୍ଠ ୧୦ରେ ରହି ଆସୁଛନ୍ତି। ଦିଲ୍ଲୀ ଟେଷ୍ଟରେ ଅଶ୍ବିନ ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇଥିଲେ।ଦ୍ବିତୀୟ ଇନିଂସରେ ମଧ୍ୟ ଅଶ୍ବିନ ଅଷ୍ଟ୍ରେଲିଆର ଶୀର୍ଷ ଭାଗର ୩ଜଣ ବ୍ୟାଟ୍‌ସମ୍ୟାନଙ୍କୁ ଆଉଟ୍‌ କରିଥିଲେ।ଏବେ ଅଶ୍ବିନଙ୍କୁ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଟେଷ୍ଟ ଇନ୍ଦୋର ଓ ଅହମ୍ମଦାବାଦରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଶେଷ ୩ ସପ୍ତାହରେ ୩ ବୋଲର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍‌ସଙ୍କୁ ଗତ ସପ୍ତାହରେ ଜେମ୍‌ସ ଆଣ୍ଡରସନ ହଟାଇ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଚଳିତ ସପ୍ତାହରେ ଆଣ୍ଡରସନଙ୍କୁ ହଟାଇ ଅଶ୍ବିନ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ବିନ ୮୬୪ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଆଣ୍ଡରସନ ୮୫୯ ପଏଣ୍ଟ ସହ ଦ୍ବିତୀୟ ଓ କମିନ୍‌ସ ୮୫୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।