ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ; ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣି
ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ; ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣି
admin
Oct 21, 2019 - 12:45
Updated: Oct 21, 2019 - 12:45
କଟକ: ଆଇନଜୀବୀଙ୍କ ବାରମ୍ବାର କାର୍ୟ୍ୟବନ୍ଦ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ସୋମବାର ଶୁଣାଣି ହୋଇଛି। ତେବେ ପ୍ରତିପକ୍ଷଙ୍କ ପକ୍ଷରୁ ଅଧିକ ସମୟ ମଗାଯିବାରୁ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୪ ତାରିଖକୁ ଦିନ ଧାର୍ୟ୍ୟ କରିଛନ୍ତି।
ସୂଚନା ଅନୁସାରେ, ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟ ବାର ସମେତ ରାଜ୍ୟର ଅନ୍ୟାନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଫଳରେ କୋର୍ଟ କାର୍ୟ୍ୟ ବାଧାପ୍ରାପ୍ତ ହେଉଥିବାବେଳେ ମହକିଲମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋର୍ଟରେ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବାବେଳେ ମାସ ମାସ ଧରି କୋର୍ଟ ଚାଲିପାରୁ ନାହିଁ। ଏହା ବିରୋଧରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା। ଗତ ୧୫ ତାରିଖରେ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମେତ ୧୪ ଜଣ ବିଚାରପତିଙ୍କୁ ନେଇ ଗଠିତ ପୂର୍ଣ୍ଣ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ, ଗୃହ ବିଭାଗ ସଚିବ, ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ, ରାଜ୍ୟ ଆଇନଜୀବୀ ପରିଷଦ ଓ ହାଇକୋର୍ଟ ବାର ଆସୋସିଏଶସ ସମତେ ରାଜ୍ୟର ୬୮ଟି ବାର ଆସୋସିଏଶନ ସଭାପତି ଏବଂ ସମ୍ପାଦକଙ୍କୁ ନୋଟିସ ଜାରି କରିଥିଲେ। ୨୧ ତାରିଖରେ ଜବାବ ରଖିବା ଲାଗି ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦେଶ ଦେବା ସହିତ ସେହିଦିନ ମାମଲାର ଶୁଣାଣି ହେବ ବୋଲି ଖଣ୍ଡପୀଠ କହିଥିଲେ। ସେହି ଅନୁସାରେ ସୋମବାର ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। କିନ୍ତୁ ପ୍ରତିପକ୍ଷମାନେ ହାଜର ହୋଇ ଅଧିକ ସମୟ ମାଗିବାରୁ ଆସନ୍ତା ନଭେମ୍ବର ୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରାଯାଇଛି।