ମୌସୁମୀ ପାଇଁ ‘ବାୟୁ’ ବାଧକ

ମୌସୁମୀ ପାଇଁ ‘ବାୟୁ’ ବାଧକ

ଭୁବନେଶ୍ୱର : କେରଳରେ ମୌସୁମୀ ସକି୍ରୟ ହୋଇଥିଲେ ହେଁ ଏହା ଓଡ଼ିଶା ଦିଗରେ ଯେମିତି ଆସିବା କଥା ଆସୁନି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ପ୍ରଭାବରେ ଦକ୍ଷିଣ ପଶ୍ଚିମ ଦିଗରୁ ଆସିବାକୁ ଥିବା ମେଘ ବାଦଲ ଓଡ଼ିଶା ଦିଗରେ ଆସୁନି । ଏପରିକି ଦକ୍ଷିଣ ପଶ୍ଚିମ ଦିଗରୁ ମୌସୁମୀ ବାୟୁ ବହୁନି । ତେଣୁ ଓଡ଼ିଶା ମୌସୁମୀ ପ୍ରବେଶ ବିଳମ୍ବ ହେଉଛି । କିନ୍ତୁ ଉତ୍ତର ଭାରତର ଆସାମ, ଗ୍ୟାଙ୍ଗଟକ ଅଞ୍ଚଳରେ ଏବେ ମୌସୁମୀ ସକି୍ରୟ ହୋଇଛି । ଏହା ଏବେ ଓଡ଼ିଶା ଦିଗରେ ଗତି କରୁଛି । ଯାହା ପ୍ରଭାବରେ ଓଡ଼ିଶାରେ ଜୁନ୍ ୨୦ ବେଳକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ କହିଛନ୍ତି । ସେହିପରି ଉତ୍ତର ବଙ୍ଗୋପସାଗରରେ ୧୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୨୦ ତାରିଖରୁ ସାରା ରାଜ୍ୟରେ ବର୍ଷା ହେବ । ତେଣୁ ୨୦ ରେ ମୌସୁମୀ ଓଡିଶା ଛୁଇଁବ ନେଇ ପାଣିପାଗ ବିଭାଗ ଘୋଷଣା କରିପାରେ ବୋଲି ଶ୍ରୀ ସାହୁ କହିଛନ୍ତି । ଅପରପକ୍ଷେ ଆଜି ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ଓ ମାଲକାନଗିରିରେ ପାରଦ ୪୩ ଡିଗ୍ରି ଛୁଇଁଛି । ସେହିପରି ଅନୁଗୁଳ ରେ ୪୦.୧, ଝାରସୁଗୁଡ଼ାରେ ୪୨.୮, ସମ୍ବଲପୁରରେ ୪୨.୨, ଭବାନିପାଟଣାରେ ୪୧.୨, ବଲାଙ୍ଗୀରରେ ୪୧ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଗତୟ ୨୪ ଘଣ୍ଟା ମଧ୍ୟପରେ ବାରିପଦାରେ ସର୍ବାଧିକ ୨୧ ମିମି ବର୍ଷା ହୋଇଥିବା ବେଳେ ଭବାନୀପାଟଣାରେ ୧୩ ମି.ମି, ବଲାଙ୍ଗୀରରେ ୪ ମିମି, ଟିଟିଲାଗଡ଼ରେ ୨ ମିମି ବର୍ଷା ହୋଇଛି । ସେହିପରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇପାରେ । ରବିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଦେବଗଡ଼, ଢେ଼ଙ୍କାନାଳ, ଯାଜପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଆତି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ । ଏହା ବାଦ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ କିନ୍ତୁ ପୂର୍ବାହ୍ନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।