ଆଇଏମଏଫ୍ ଛାଡ଼ିବେ ଗୀତା ଗୋପୀନାଥ
ଆଇଏମଏଫ୍ ଛାଡ଼ିବେ ଗୀତା ଗୋପୀନାଥ
ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଜାନୁଆରିରେ ଇସ୍ତଫା ଦେବେ। ସେ ପୁଣି ଥରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ଫେରିଯିବେ ବୋଲି କହିଛନ୍ତି। ୨୦୧୮ ଅକ୍ଟୋବରରେ ତାଙ୍କୁ ଆଇଏମ୍ଏଫର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିଯୁକ୍ତି ମିଳିଥିଲା। ଏହି ଦାୟିତ୍ୱ ନିର୍ବାହ କରିବା ଲାଗି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ତାଙ୍କୁ ଛୁଟି ଦେଇଛି। ଆଇଏମଏଫରେ ନିଜ ତିନି ବର୍ଷ କାର୍ୟ୍ୟକାଳ ଶେଷ କରିବା ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ ଛୁଟିକୁ ବୃଦ୍ଧି ମଧ୍ୟ କରାଯାଇଥିଲା । ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ପ୍ରଥମ ମହିଳା । ସେ ଆଇଏମଏଫର ଗବେଷଣା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟ କରୁଛନ୍ତି, ଯାହା ପ୍ରତି ତିନି ମାସରେ ସମ୍ଭାବନା ରିପୋର୍ଟ ଜାରି କରୁଛି। ସେହି ଆକଳନ ରିପୋର୍ଟକୁ ସମଗ୍ର ବିଶ୍ୱରେ ଗୁରୁତ୍ୱ ଦିଆଯାଏ । ମହାମାରୀ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ଦୁନିଆର ବିଭିନ୍ନ ଅର୍ଥନୀତିର ଠିକ୍ ଆକଳନ କରିବା ଭଳି ସଫଳତା ଗୀତା ହାସଲ କରିଛନ୍ତି । ସେଥିପାଇଁ ତାଙ୍କୁ ଆଇଏମଏଫର ଏମଡି କ୍ରିଷ୍ଟାଲିନା ଜୋର୍ଜିଭା ବେଶ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ ଫାଇନାନ୍ସ ଓ ଅର୍ଥନୀତି ଉପରେ ତାଙ୍କର ଥିବା ଗଭୀର ଜ୍ଞାନ ଯୋଗୁଁ ଆଇଏମ୍ଏଫ ବିଶେଷ ଭାବେ ଉପକୃତ ହୋଇଥିବା ଜୋର୍ଜିଭା କହିଛନ୍ତି । କିଛି ଦିନ ତଳେ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ନିଜର ଇସ୍ତଫା ଘୋଷଣା କରିଥିଲେ । ସେ ମଧ୍ୟ ପାଠପଢ଼ା ଜଗତକୁ ଫେରିଯିବେ ବୋଲି କହିଛନ୍ତି ।




admin 