ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ, ଜଳିଗଲେ ୫୦ କୋଟି ଜୀବଜନ୍ତୁ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ, ଜଳିଗଲେ ୫୦ କୋଟି ଜୀବଜନ୍ତୁ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ, ଜଳିଗଲେ ୫୦ କୋଟି ଜୀବଜନ୍ତୁ
ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଗତ ଦୁଇ ମାସ ଧରି ଯେଉଁ ଜଙ୍ଗଲ ନିଆଁ ଲାଗିଛି, ତାହା ଯୋଗୁଁ ଯେ କେବଳ ବ୍ୟାପକ ଅଞ୍ଚଳରେ ପରିବ୍ୟାପ୍ତ ଜଙ୍ଗଲ ନଷ୍ଟ ହୋଇଛି, ତା ନୁହେଁ ବରଂ ଏହା ଯୋଗୁଁ କୋଟି କୋଟି ଜୀବଜନ୍ତୁ ବି ପ୍ରାଣ ହରାଇଛନ୍ତି । ସେଠାକାର ପରିବେଶବିତ୍ ଓ ସରକାରୀ ସଂସ୍ଥା ଗୁଡ଼ିକ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ଏ ପର୍ଯ୍ୟନ୍ତ ଏହି ନିଆଁ ଯୋଗୁଁ ପ୍ରାୟ ୫୦ କୋଟି ଜୀବଜନ୍ତୁ ଜଳିଯାଇଛନ୍ତି । ଅନେକ ସ୍ଥାନରେ ହଜାର ହଜାର ସଂଖ୍ୟାରେ କଙ୍ଗାରୁ, କୋଆଲା, କୋକାବୁରା ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତଦେହ ପଡ଼ିରହିଥିବାର ଦେଖାଯାଉଛି । ଏଭଳି ବିପର୍ଯ୍ୟୟ ଯୋଗୁଁ ଅଷ୍ଟ୍ରେଲିୟାରୁ ଅନେକ ଜୀବ ସବୁଦିନ ପାଇଁ ବିଲୁପ୍ତ ହୋଇଯିବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଏ ପର୍ଯ୍ୟନ୍ତ ଏହି ନିଆଁ ଯୋଗୁଁ ୧୨ ନିୟୁତ ଏକର ପରିବ୍ୟାପ୍ତ ଜଙ୍ଗଲ ଜଳିସାରିଲାଣି । ସେଇ ଅଞ୍ଚଳରେ ରହୁଥିବା ଜୀବଜନ୍ତୁ ଏହାଯୋଗୁଁ ପ୍ରଭାବିତ ହୋଇଛନ୍ତି । ନିଆଁରୁ ବର୍ତ୍ତିବାକୁ କିଛି ଜୀବଜନ୍ତୁ ଜନବସତି ଅଞ୍ଚଳ ଆଡକୁ ପଶି ଆସୁଛନ୍ତି । ସାଧାରଣ ଲୋକେ କିନ୍ତୁ ସେମାନଙ୍କୁ ପାଣି ପିଆଇବା ସହିତ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ହେଲେ ନିଆଁର ବ୍ୟାପକତାକୁ ଦେଖିଲେ ଏତେ ମାତ୍ରାରେ ଜୀବଜନ୍ତୁଙ୍କୁ ରକ୍ଷା କରିବା ସମ୍ଭବପର ହେଉନାହିଁ । ଅଷ୍ଟ୍ରେଲିଆର ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ ବି ଏହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁନାହାନ୍ତି । ନିଆଁ ଯୋଗୁଁ ୨୩ ଜଣ ପ୍ରାଣ ହରାଇଥିବା ବେଳେ ୧୫୦୦ ଘର ଜଳିଯାଇଛି । ଦେଶର ପ୍ରାୟ ୧ କୋଟି ଲୋକ ଜଙ୍ଗଲ ନିଆଁରୁ ଜାତ ବିଷାକ୍ତ ଧୂଆଁ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅଷ୍ଟ୍ରେଲିଆର ଅନେକ ସହରର ତାପମାତ୍ରା ଯଥେଷ୍ଟ ବଢ଼ିଯାଇଛି । ସିଡନି ସହରରେ ଶନିବାର ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ହୋଇଥିବାର ରେକର୍ଡ କରାଯାଇଥିଲା ।