ଅଭାବନୀୟ ଦୃଶ୍ୟ : ନିର୍ମାଣ ଶ୍ରମିକ ସାଜିଛନ୍ତି କୁନି ପିଲା

ଅଭାବନୀୟ ଦୃଶ୍ୟ : ନିର୍ମାଣ ଶ୍ରମିକ ସାଜିଛନ୍ତି କୁନି ପିଲା

ରାଉରକେଲା: ଆଖିରେ ଆଖିଏ ସ୍ବପ୍ନ ନେଇ ପାଠ ପଢ଼ିବାକୁ ସ୍କୁଲକୁ ଯାଉଛନ୍ତି। କିନ୍ତୁ ପାଠପଢ଼ା ବଦଳରେ ସେମାନଙ୍କୁ ନିର୍ମାଣଶ୍ରମିକଭାବେ କାମରେ ଲଗାଯାଉଛି। ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିୟମ ରହିଛି ଯେ ସ୍କୁଲରେ କୌଣସି ବି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ କାମରେ ଲଗାଯାଇପାରିବନାହିଁ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନିର୍ମାଣ ଶ୍ରମିକ ସାଜିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଳକରେ ଗରମ ଡାଲି ପଡ଼ି ଜଣେ ଛାତ୍ର ମୃତ୍ୟୁବରଣ କରିବା ଘଟଣା ମନରୁ ନଲିଭୁଣୁ ପୁଣି ବିଶ୍ରା ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ବରଟୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ ପାଠ ପଢ଼ିବା ପରିବର୍ତ୍ତେ ସାଜିଛନ୍ତି ନିର୍ମାଣ ଶ୍ରମିକ।ଏହି ସ୍କୁଲରେ ଏକ ଫ୍ଲାଗ ପୋଷ୍ଟ୍‌ ନିର୍ମାଣ କରାଯାଉଥିଲା। ଏଥିରେ କୁନିକୁନି ପିଲାଙ୍କୁ ବାଲି ବୋହିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।

ପିଲାମାନେ କଷ୍ଟ ସହି ମୁଣ୍ଡରେ ବାଲି ଝୁଡ଼ି ଧରି, ତଥା ତିନି ଜଣ ଛାତ୍ରୀ ବାଲି ଝୁଡ଼ିକୁ ବୋହି ନେଉଥିବା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଠିକାଶ୍ରମିକ ଆସିନଥିବାରୁ ସେମାନଙ୍କୁ କାମରେ ଲଗାଯାଇଥିବା କୁହାଯାଉଛି।ତେବେ ଏଭଳି ବାହାନାକୁ ବୁଦ୍ଧିଜୀବୀ ଅଗ୍ରାହ୍ୟ କରିଛନ୍ତି।  ଏଭଳି ନିୟମ ଉଲ୍ଲଂଘନକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ସମୟ କହିବ; ତେବେ ଜିଲ୍ଲା ଶିକ୍ଷା ବିଭାଗ ମାମଲାକୁ ଗୁରୁତ୍ବର ସହ ବିଚାରକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।