ଅପରାଜିତା-ଅନନ୍ତ ମୁହାଁମୁହିଁ
ଅପରାଜିତା-ଅନନ୍ତ ମୁହାଁମୁହିଁ
ଭୁବନେଶ୍ୱର: ଲଗାଣ ବର୍ଷାଜନିତ କୃତ୍ରିମ ବନ୍ୟା ନେଇ ଭୁବନେଶ୍ୱର ସହର ଉବୁଟୁବ । ଏ ପ୍ରସଙ୍ଗରେ ଏବେ ରାଜ୍ୟ ସରକାରଙ୍କୁ ଲଗାତାର ଆକ୍ରମଣ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହାର ଜବାବ ଦେଇ ସାଂସଦ ଓ କେନ୍ଦ୍ର ସରକାର ଆଡ଼କୁ ପ୍ରଶ୍ନ ଫିଙ୍ଗିଛନ୍ତି ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ।
ଆଜି ସାମ୍ବାଦିକ ସମ୍ମିଳନୀ କରି ଅପରାଜିିତା କହିଛନ୍ତି, ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଚିଠି ଲେଖିଛି । ବାରମ୍ବାର ସ୍ୱର ଉଠାଇଛି । ୧୩ଟି ପ୍ରାକୃତିକ ନାଳର କାମ କରି ଜଳ ନିଷ୍କାସନ ପଥ ସୁଗମ କରିବା ପାଇଁ ବାରମ୍ବାର ବିଏମସିର ଦୃଷ୍ଟି ଆକର୍ଷଣ କରିଛି । ହେଲେ ବିଏମସି କିଛି କରୁନାହିଁ ।
କାହିଁକି ଏଯାଏଁ ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଦୀର୍ଘକାଳୀନ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁନାହାନ୍ତି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । କେବେ ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ସୁଧୁରିବ ବୋଲି ପ୍ରଶ୍ନ ପଚାରିଛନ୍ତି । ଗତକାଲି ଅପରାଜିତା ଟ୍ୱିଟ୍ କରି ସରକାରଙ୍କୁ ଘେରିଥିଲେ । ୨୧ ବର୍ଷର ଶାସନ ପରେ ବି ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥା କାହିଁକି ସୁଧୁରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ସାଂସଦଙ୍କ ଏ ଆକ୍ରମଣର ଜବାବ ଦେଇ ଓଲଟା ସାଂସଦଙ୍କୁ ଘେରିଛନ୍ତି ବିଜେଡି ବିଧାୟକ ଅନନ୍ତ । ସେ କହିଛନ୍ତି, ଲୋକଙ୍କ ଦୁର୍ଦ୍ଧଶାବେଳେ ସାଂସଦ ରାଜନୀତି କରୁଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ତାଙ୍କ ପାଖକୁ ଯିବା ବଦଳରେ ଏଭଳି ରାଜନୀତି କରିବା ଗ୍ରହଣୀୟ ନୁହେଁ । ଯଦି ଭୁବନେଶ୍ୱର ସାଂସଦ ସହରର ଡ୍ରେନେଜ ସମସ୍ୟା ପାଇଁ ଏତେ ଚିନ୍ତିତ, ତେବେ ଜାତୀୟ ରାଜପଥରେ କେମିତି ଡ୍ରେନ ହେବ, ସେ ଦିଗରେ କେନ୍ଦ୍ରକୁ ଚିଠି ଲେଖି ପଦକ୍ଷେପ ନେବାକୁ କୁହନ୍ତୁ । ଜାତୀୟ ରାଜପଥରେ ଡ୍ରେନ ନଥିବାରୁ ଭୁବନେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ବଢୁଛି ।
ତେବେ ଉଭୟ ଅନନ୍ତ ଓ ଅପରାଜିତା ଆଜି ଭୁବନେଶ୍ୱର ସହରର ଜଳବନ୍ଦୀ ଇଲାକା ବୁଲିଛନ୍ତି । ଲୋକଙ୍କୁ ଭେଟି ସମସ୍ୟା ବୁଝିଛନ୍ତି ।




admin 