ଅନଲାଇନରେ ଦେବୀ ଦର୍ଶନ, ସହିଦନଗର ଦୁର୍ଗାପୂଜା ସମିତି
ଅନଲାଇନରେ ଦେବୀ ଦର୍ଶନ, ସହିଦନଗର ଦୁର୍ଗାପୂଜା ସମିତି
admin
Oct 15, 2020 - 10:05
Updated: Oct 15, 2020 - 10:05
ଭୁବନେଶ୍ୱର: ପାର୍ବଣ ନେଇ ପୁଣି ଫେରିଛନ୍ତି ଶରତ । ମାତ୍ର ଏଥର ସାଙ୍ଗରେ ଆଣିନି ଉତ୍ସାହ । ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ । କିନ୍ତୁ ଏଥର ସଜେଇ ହୋଇନି ପୂଜା ମଣ୍ଡପ । ମନ ଚାହୁଁଛି ମା’ଙ୍କ ଦର୍ଶନ ସହ ପାର୍ବଣର ମଜା ଉଠାଇବା ପାଇଁ । ହେଲେ ବେଡ଼ି ପକାଇ ଦେଇଛି କରୋନା । ଏଥର ୪ ଫୁଟ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ସୀମିତ ରହିବ ବୋଲି ପ୍ରଶାସନ ସ୍ଥିର କରିଥିବା ବେଳେ ପୂଜାସ୍ଥଳକୁ ଶ୍ରଦ୍ଧାଳୁମାନଙ୍କୁ ବାରଣ ରହିଛି । ତେଣୁ ଏଥର ପୂଜା କଟକଣାରେ ବିତିଯିବ ବୋଲି ଏକରକମ ସ୍ପଷ୍ଟ ହୋଇଥିବା ବେଳେ ପୂଜା ମଣ୍ଡ ମଧ୍ୟ କେବଳ ବିଧି ରକ୍ଷା ପାଇଁ ପୂଜା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଅକ୍ଟୋବର ୨୨ ରୁ ଷଷ୍ଠୀରୁ ପୂଜା ଆରମ୍ଭ ହୋଇଯିବ । ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପୂଜା ବିଧିର ସମୟ ସାରଣୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଯଦିଓ ଏହାର ପୂଜାସ୍ଥଳକୁ କୌଣସି ଶ୍ରଦ୍ଧାଳୁଙ୍କ ଆଗମନ ହେବ ନାହିଁ, କିନ୍ତୁ ମା’ଙ୍କ ଦର୍ଶନ ପାଇଁ ଆଧୁନିକ ଜ୍ଞାନକୌଶଳକୁ ଆପଣାଇଛି ପୂଜା ସମିତି । କାରିଗର ଲକ୍ଷ୍ମିଧର ରଣାଙ୍କ ଦ୍ୱାରା ୪ ଫୁଟର ମୂର୍ତ୍ତି ପ୍ରସ୍ତୁତି ଚାଲିଥିବା ବେଳେ ମା’ଏଥର ଅଳଙ୍କାର ବଦଳରେ କାଗଜରେ ପ୍ରସ୍ତୁତ ଅଳଙ୍କାରରେ ସଜେଇ ହେବେ । କାଗଜ ଓ ସୋଲ ମେଢ଼, ଅଳଙ୍କାର ପ୍ରସ୍ତୁତ କରୁଛନ୍ତି କଟକର ଜିତୁ ପଟ୍ଟନାୟକ । ସପ୍ତମୀରେ ମା’ଙ୍କ ପୂଜା ୬ଟା ୫୭ ରୁ ଆରମ୍ଭ ହୋଇ ସକାଳ ୯ ଟା ୧୮ ପର୍ଯ୍ୟନ୍ତ ଚାଲିବ । ମହା ଅଷ୍ଟମୀରେ ସକାଳ ୬ଟା ୩୫ ରୁ ଆରମ୍ଭ ହୋଇ୭ଟା ୨୩ ମିନିଟ, ମହାନବମୀରେ ସକାଳ ୭ଟା ୪୨ ଓ ଦଶର୍ମୀରେ ସକାଳ ୭ଟାରୁ ପୂଜା ଆରମ୍ଭ ହେବ । ଏହା ବ୍ୟତୀତ ପୁଷ୍ପାଞ୍ଜଳୀ ସମୟ ଦଶମୀ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟା, ଭୋଗ ଆରତି ଦିନ ୧ଟା, ଯଜ୍ଞ ଓ ସନ୍ଧ୍ୟା ଆଳତି ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହେବ । ଏ ସମସ୍ତ ଦୃଶ୍ୟକୁ ସମିତିର ଫେସବୁକ ପେଜ ଓ ୟୁଟୁ୍ୟବରେ ପ୍ରସାରଣ କରାଯିବ । ତେଣୁ ଶ୍ରଦ୍ଧାଳୁମାନେ ଘରେ ରହି ମା’ଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେଇପାରିବେ ।