ଅଡୁଆରେ ପ୍ରଦୀପ ପାଣିଗ୍ରାହୀ

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପ୍ରାଥମିକ ତଦନ୍ତ କରିବା ଲାଗି ଓଡ଼ିଶା ଲୋକାୟୁକ୍ତଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶକୁ ସୁପ୍ରିମ୍କୋର୍ଟ କାଏମ୍ ରଖିଛନ୍ତି । ଲୋକାୟୁକ୍ତଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରି ଦେଇଥିଲାବେଳେ ଏହାକୁ ଚାଲେଞ୍ଜ କରି ଓଡ଼ିଶା ଲୋକାୟୁକ୍ତ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ବିଚାରପତି ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ରଦ୍ଦ କରି ଦେଇଛନ୍ତି । ମାମଲାର ପ୍ରାଥମିକ ତଦନ୍ତ ଭିଜିଲାନ୍ସକରିପାରିବ ବୋଲି ସର୍ବୋଚ୍ଚ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମ୍କୋର୍ଟଙ୍କ ଏହି ଆଦେଶ ଫଳରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି।
ମାମଲାରୁ ଜଣାଯାଇଛି ଯେ, ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗର ତଦନ୍ତ ଲାଗି ଭିଜିଲାନ୍ସ ଡିଏସ୍ପି ରଞ୍ଜନ କୁମାର ଦାସ ଲୋକାୟୁକ୍ତରେ ଏକ ପିଟିସନ୍ ରୁଜୁ୍ କରିଥିଲେ । ଏହି ପିଟସନ୍କୁ ଗ୍ରହଣ କରି ଲୋକାୟୁକ୍ତ ଭିଜିଲାନ୍ସକୁ ପ୍ରାଥମିକ ତଦନ୍ତ କରି ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ଏହି ଆଦେଶକୁ ଚାଲେଞ୍ଜ କରି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଭିଜିଲାନ୍ସ ନିଜେ ଏତଲାକାରୀ ହୋଇଥିବାରୁ ଉକ୍ତ ସଂସ୍ଥା ଅଭିଯୋଗର ପ୍ରାଥମିକ ତଦନ୍ତ କରି ଯଥାର୍ଥ ନୁହେଁ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ହାଇକୋର୍ଟ ୨୦୨୧ ଫେବ୍ରୁଆରୀ ୨ରେ ମାମଲାରେ ରାୟ ପ୍ରକାଶ କରି ଲୋକାୟୁକ୍ତଙ୍କ ଆଦେଶକୁ ରଦ୍ଦ କରିଥିଲେ ।
ଯେହେତୁ ନିଜେ ଭିଜିଲାନ୍ସ ଏଠି ଏତଲାକାରୀ ତେଣୁ ନିଜେ ଏତଲାକାରୀ ତଦନ୍ତ କରିପାରିବ ନାହିଁ ବୋଲି ହାଇକୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ । ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ଲୋକାୟୁକ୍ତ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶ ରଦ୍ଦ କରିଛନ୍ତି । ଭିଜିଲାନ୍ସ ଏକ ତଦନ୍ତକାରୀ ଏଜେନ୍ସୀ ହୋଇଥିବାରୁ ଉକ୍ତ ସଂସ୍ଥା ଏହାର ପ୍ରାଥମିକ ତଦନ୍ତ କରିବାରେ ଅସୁବିଧା ନାହିଁ ବୋଲି ସୁପ୍ରିମ୍କୋର୍ଟ ମତ ଦେଇଥିବା ଜଣାଯାଇଛି ।