ଓବିସିସି ଓ ଠିକାସଂସ୍ଥାଙ୍କ ତରବରିଆ କାମ, ଶ୍ରୀକ୍ଷେତ୍ରର ଶ୍ରୀଦାଣ୍ଡ ବା ଶ୍ରୀମାର୍ଗ ଏବେ ତାର ଶ୍ରୀ ହରାଇବାକୁ ବସିଛି
ଶ୍ରୀକ୍ଷେତ୍ରର ଶ୍ରୀଦାଣ୍ଡ ବା ଶ୍ରୀମାର୍ଗ ଏବେ ତାର ଶ୍ରୀ ହରାଇବାକୁ ବସିଛି। ଓବିସିସି ଓ ଠିକାସଂସ୍ଥାଙ୍କ ତରବରିଆ କାମରେ ଶ୍ରୀଦାଣ୍ଡରେ ଘର କରି ରହୁଥିବା ସ୍ଥାନୀୟ ବାସିନ୍ଦା ଏବେ ନାନାଦି ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । କୋଉଠି ଡ୍ରେନ୍ ଭିତରେ ଇଲେକ୍ଟ୍ରି ପାଇପ୍ ଓ ପାଣି ପାଇପ୍ ଯାଇଛି ତ ଆଉ କେଉଁଠି ଲୋକଙ୍କ ବ୍ୟକ୍ତିଗତ ଜମିରେ ଜୋରଜବରଦସ୍ତ ଇଲେକ୍ଟ୍ରି ପ୍ୟାନେଲ ବସାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଟାଟା ପାୱାର କମ୍ପାନୀର ମନୋମୁଖୀ କାର୍ୟ୍ୟ ଯଥା ଘର ଦୁଆର ସମ୍ମୁଖରେ ବଡବଡ ଇଲେକ୍ଟ୍ରି ତାର ଯାଇଥିବାରୁ ମୃତ୍ୟୁ ଏବେ ଲୋକଙ୍କୁ ହାତଠାରି ଡାକୁଛି। ସେପଟେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଯାଇ ହତୋତ୍ସାହିତ ସ୍ଥାନୀୟ ବାସୀନ୍ଦା ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ତରବରିଆ କାମ ହୋଇଥିବା ଅଭିଯୋଗ କରି ନବୀନ ବାବୁ ଓ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି।
ପୁରୀ ବଡଦାଣ୍ଡର ବିକଳ୍ପ ଭାବେ ତତ୍କାଳୀନ ବିଜେଡି ସରକାର କରିଥିଲେ ଶ୍ରୀଦାଣ୍ଡ। ଭିଆଇପି ଓ ଭିଭିଆଇପିଙ୍କ ଗମାନଗମନ ସୁବିଧା ପାଇଁ ତତ୍କାଳୀନ ବିଜେଡି ସରକାର ଲୋକଙ୍କ ଘର ଉଚ୍ଛେଦ କରି ନିର୍ମାଣ କରିଥିଲେ ଶ୍ରୀଦାଣ୍ଡ ବା ଶ୍ରୀମାର୍ଗ। ପ୍ରାୟ ୮୦୦ ମିଟର ଲମ୍ବ ଶ୍ରୀଦାଣ୍ଡ ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର ଠାରୁ ଦୋଳବେଦୀ କୋଣ ପର୍ୟ୍ୟନ୍ତ ଲମ୍ବିଛି। ବଡଦାଣ୍ଡରେ ଗହଳି ଓ ଟ୍ରାଫିକ ସମସ୍ୟାକୁ ଏଡାଇବାକୁ ଯାଇ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଶ୍ରୀଦାଣ୍ଡର ପରିକଳ୍ପନା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କିଭଳି ଶ୍ରୀଦାଣ୍ଡ ପୂର୍ଣ୍ନାଙ୍ଗ ରୂପରେଖ ନେବ ସେନେଇ ଘନଘନ ପୁରୀ ଗସ୍ତକରି ଶ୍ରୀଦାଣ୍ଡର ସ୍ଥିତି ଅନୁଧ୍ୟାନ କରୁଥିଲେ ନିଜେ ପାଣ୍ଡିଆନ୍। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରିକ୍ରମା ପ୍ରକଳ୍ପ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଶ୍ରୀଦାଣ୍ଡ ଦେଇ ବ୍ୟାଟେରୀ ଚାଳିତ ଅଟୋରେ ଆସିଥିଲେ। ଏବେ ଦେଖନ୍ତୁ ଏହି ଭିଜୁଆଲକୁ। ଶ୍ରୀଦାଣ୍ଡର ପୂର୍ଣ୍ନାଙ୍ଗ ଦୃଶ୍ୟକୁ ତତ୍କାଳୀନ ସରକାର ନିଜ ୱବସାଇଟର୍ ରେ ମଧ୍ୟ ଛାଡିଥିଲେ। ହେଲେ ଶ୍ରୀଦାଣ୍ଡ ତ ସମ୍ପୂର୍ଣ୍ଣ ହୋଇଗଲା କିନ୍ତୁ ଶ୍ରୀଦାଣ୍ଡ ଏବେ ଦିନକୁଦିନ ତାର ଶ୍ରୀ ହରାଇବାକୁ ବସିଲାଣି। ଭଲକରି ଦେଖନ୍ତୁ ଏ ସମସ୍ତ ଦୃଶ୍ୟକୁ। କେଉଁଠି ରାସ୍ତା ଦବି ଗଲାଣି ତ ଆଉ କେଉଁଠି ଶ୍ରୀଦାଣ୍ଡରେ ହୋଇଥିବା ଡ୍ରେନ୍ ଭିତରେ ଇଲେକ୍ଟ୍ରି ପାଇପ୍ ଓ ପାଣି ପାଇପ୍ ବିଛାଯାଇଛି। ଓବିସିସି ତରଫରୁ ଶ୍ରୀଦାଣ୍ଡ କାମ ହାତକୁ ନିଆଯାଇଥିବାରୁ ଠିକାଦାରଙ୍କ ତରବରିଆ କାମ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରିଛି। ଡ୍ରେନ୍ ଭିତରେ ପାଣି ପାଇପ୍ ଯାଇଥିବାରୁ କୌଣସି କାରଣ ବସତଃ ପାଇପ୍ ଲିକ୍ ହେଲେ ନଳାପାଣି ପାନୀୟ ଜଳ ପାଇପ୍ ସହ ମିଶି ସ୍ଥାନୀୟ ବାସିନ୍ଦା ରୋଗାକ୍ରାନ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ଭଲକରି ଏହି ଦୃଶ୍ୟ ଉପରେ ମଧ୍ୟ ନଜର ପକାନ୍ତୁ। କିଭଳି ଘର ଦୁଆର ମୁହଁରେ ବଡବଡ ହାଇ ଭୋଲଟେଜ୍ ଇଲେକ୍ଟ୍ରି ତାର ଯାଇଥିବାରୁ କେତେବେଳେ କଣ ଅଘଟଣ ଘଟିବ ସେନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଲୋକେ। ସେପଟେ ଶ୍ରୀଦାଣ୍ଡ ନିର୍ମାଣ ସମୟରେ ଜବରଦସ୍ତ ପ୍ରଶାସନ ଦ୍ବାରା ରାସ୍ତାକୁ ଅବରୋଧ କରାଯାଇ ବ୍ୟକ୍ତିଗତ ଘର ଜମିରେ ଜୋର ଜବରଦସ୍ତ ଇଲେକ୍ଟ୍ରି ପ୍ୟାନେଲ ବସାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ତେବେ ସମସ୍ୟାର ପ୍ରତିକାର ପାଇଁ ବାରମ୍ବାର ଶ୍ରୀଦାଣ୍ଡ ଅଧିବାସୀ ମାନେ ପ୍ରଶାସନ ପାଖକୁ ଯାଇ ନୟାନ୍ତ ହୋଇଥିବା ବେଳେ ସମାଧାନର ସୂତ୍ର ବାହାରୁନଥିବା ଅଭିଯୋଗ ହୋଇଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ଆମେ ଓବିସିସି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସେ ନିଜ ମୁଣ୍ଡରୁ ଦୋଷ ଖସାଇ ବିଦ୍ୟୁତ ବିଭାଗ ଓ ୱଟକୋ ବିଭାଗର ଏହି କାର୍ୟ୍ୟ ବୋଲି କହିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳ ଶ୍ରୀଦାଣ୍ଡର ସମସ୍ୟା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଓବିସିସି ସହ ସମ୍ପୃକ୍ତ ୱଟକୋ ଓ ଟାଟା ପାୱର ବିଭାଗକୁ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟା କିଭଳି ସମାଧାନ ହୋଇପାରିବ ସେନେଇ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
ତରବରିଆ ଶ୍ରୀଦାଣ୍ଡ କାମ ପାଇଁ କୋଟିକୋଟି ଟଙ୍କା ହଡପ କରାଯାଇ ତାଳିପକା କାମ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ତତ୍କାଳୀନ ସରକାରଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯାଇଛି। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କେତେଦୂର ସମସ୍ୟା ସମାଧାନ ହୋଇପାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।