ସୂର୍ୟ୍ୟଙ୍କ ରହସ୍ୟ ଭେଦିବ ଇସ୍ରୋ , ଦିନ ୧୧.୫୦ରେ ଉତକ୍ଷେପଣ

ଭୁବନେଶ୍ୱର: ଆଜି ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଏହି ମିଶନର ଉତକ୍ଷେପଣ କରାଯିବ। ରକେଟ PSLV-C57 ମାଧ୍ୟମରେ ମହାକାଶକୁ ଯିବ ଆଦିତ୍ୟ-ଏଲୱାନ୍। ପୂର୍ବାହ୍ନ ପ୍ରାୟ ୧୧ଟା ୫୦ ମିନିଟ୍ ସମୟରେ ଲଞ୍ଚିଂ ନେଇ ସମୟ ଧାର୍ୟ୍ୟ କରାଯାଇଛି।
ଆଜି ଉତକ୍ଷେପଣ ହେଲେ ସୂର୍ୟ୍ୟଙ୍କ ଉପରେ ତଥ୍ୟ ହାସଲ ପାଇଁ ଇସ୍ରକୁ ଲାଗିଯିବ ଚାରି ମାସ। ଆସନ୍ତା ୧୨୭ ଦିନ ପରେ ମହାକାଶର ଏଲୱାନ୍ ପଏଣ୍ଟ ବା ଲାଗ୍ରାଞ୍ଜ ପଏଣ୍ଟ-ୱାନରେ ପହଞ୍ଚିବ ଆଦିତ୍ୟ-ଏଲୱାନ୍। ଏହି ମିଶନ୍ ସମ୍ପୂର୍ଣ୍ଣ ସୂର୍ୟ୍ୟଙ୍କ ନିକଟକୁ ଯିବ ନାହିଁ। ପୃଥିବୀଠାରୁ ସୂର୍ୟ୍ୟଙ୍କ ଦୂରତା ୧୫ କୋଟି କିଲୋମିଟର ହୋଇ ଥିବାବେଳେ ଏହା ମାତ୍ର ୧୫ ଲକ୍ଷ୍ୟ ଦୂରରେ ରହି ଅନୁସନ୍ଧାନ କରିବ। ଆସନ୍ତା ବର୍ଷ ଜାନୁଆରୀରେ ଆଦିତ୍ୟ-ଏଲୱାନ୍ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ନେଇ ଆଶା ରଖିଛି ଇସ୍ରୋ। ଏଥିରେ ୭ଟି ପେ'ଲୋଡ୍ ମଧ୍ୟ ମହାକାଶକୁ ପଠାଯିବ। ଏଥିମଧ୍ୟରୁ ୪ଟି ପେ'ଲୋଡ୍ ସୂର୍ୟ୍ୟଙ୍କ ଉପରେ ଏବଂ ଅନ୍ୟ ୩ଟି ଲାଗ୍ରାଞ୍ଜ ପଏଣ୍ଟ ଏଲୱାନ ଉପରେ ପରୀକ୍ଷା ନିରୀକ୍ଷା କରିବେ। ଏହାପରେ ସୂର୍ୟ୍ୟଙ୍କ ଫଟୋସ୍ଫିୟର୍, କ୍ରୋମୋସ୍ଫିର୍ ସହ ସୂର୍ୟ୍ୟଙ୍କ ବାହ୍ୟ ସ୍ତର କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ କରିବ। ବିଶେଷ କରି ସୌରଝଡର ଆକଳନ ଓ ମୁକାବିଲା ଦିଗରେ ଏହି ମିଶନ୍ ସହାୟକ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଏଥିପାଇଁ ଇସ୍ରୋର ସୂର୍ୟ୍ୟ ମିଶନ ଉପରେ କେବଳ ଦେଶ ନୁହେଁ ରହିଛି ପୂରା ବିଶ୍ୱ ନଜର।