ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନେଇ ରାଜ୍ୟ ରାଜନୀତିରେ ହଇଚଇ

ଭୁବନେଶ୍ବର : ସାଂସଦ ଅମର ପଟ୍ଟନାୟକଙ୍କ ନାମରେ ଥିବା ଏକ ଫେସ୍ବୁକ୍ ଆକାଉଣ୍ଟରେ ସୁଜାତା ଆର୍. କାର୍ତ୍ତିକେୟନ୍ ଫ୍ୟାନ୍ କ୍ଲବ୍ ଦ୍ବାରା ପୋଷ୍ଟିଂ ହୋଇଥିବା ଏକ ପୋଷ୍ଟକୁ ସେୟାର କରାଯିବା ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଏଥିରେ ଲେଖାଥିଲା ଯେ ଯଦି ମିସନ୍ ଶକ୍ତିର ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ସରକାରୀ ଚାକିରି ଛାଡ଼ି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୁଅନ୍ତି, ତେବେ ଆପଣଙ୍କ ମତାମତ କ’ଣ ରହିବ?
ପୂର୍ବରୁ ସୁଜାତା କାର୍ତ୍ତିକେୟନ ଚାକିରି ଛାଡ଼ି ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଦଳର ଜଣେ ସାଂସଦ ଏଭଳି ପୋଷ୍ଟକୁ ସେୟାର କରିବା ପରେ ଏହା କିଛି କ୍ଷଣ ମଧ୍ୟରେ ଭାଇରାଲ୍ ହୋଇଯାଇଥିଲା। ଏପରିକି ସୁଜାତା କାର୍ତ୍ତିକେୟନ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଚର୍ଚ୍ଚା ହୋଇଥିଲା। ହେଲେ ଏହାର କିଛି ସମୟ ପରେ ସାଂସଦ ଶ୍ରୀ ପଟ୍ଟନାୟକ ତାଙ୍କର ଭେରିଫାଏଡ୍ ଫେସବୁକ୍ ପେଜ୍ରେ ଲେଖିଥିଲେ ଯେ ମୋ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରି ଏହି ବିଷୟବସ୍ତୁ ପୋଷ୍ଟ କରାଯାଇଛି ଏବଂ ଏହା ଉପରେ ମୋର ଅନୁସନ୍ଧାର ଜାରି ରହିଛି। ଦୟାକରି ଏହାକୁ ଗୁରୁତ୍ବ ନଦେବା ଲାଗି ଅନୁରୋଧ।ବିଜେଡିର ଆଇଟି ଶାଖା ମୁଖ୍ୟ ଭାବେ କାର୍ୟ୍ୟ କରିଥିବା ସାଂସଦ ପଟ୍ଟନାୟକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବା ଯେତିକି ଚର୍ଚ୍ଚାର ପ୍ରସଙ୍ଗ ତା’ଠାରୁ ଅଧିକ ବିତର୍କର ବିଷୟ ହେଉଛି ଫେସ୍ବୁକ୍ରେ ସୁଜାତା ଆର୍. କାର୍ତ୍ତିକେୟନ୍ ଫ୍ୟାନ୍ କ୍ଲବ୍ କିଏ ଖୋଲିଛି। ଏଥିରେ କିଏ ଏହିଭଳି ଗୁଜବ ପୋଷ୍ଟିଂ କଲା? ରାଜ୍ୟର ଜଣେ ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା ଅଧିକାରୀଙ୍କ ନାଁରେ ଫ୍ୟାନ୍କ୍ଲବ୍ ପେଜ୍ ଖୋଲି ଏଭଳି ଅପପ୍ରଚାର କରାଯାଉଥିବା ବେଳେ ଏହା ତାଙ୍କ ଦୃଷ୍ଟିକୁ ଆସିଛି ନା ନାହିଁ? ଏନେଇ ସାଇବର ଥାନାରେ ଅଭିଯୋଗ ହୋଇଛି ନା ନାହିଁ? କାହିଁକି ସରକାର ଏଭଳି ଚୁପ୍ ବସିଛନ୍ତି। ସେହିଭଳି ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ନାମରେ ମଧ୍ୟ ଫ୍ୟାନ୍ କ୍ଲବ୍ ଖୋଲାଯାଇଛି। ଏଭଳି ପ୍ରଚାର ପାଇଁ ସଂପୃକ୍ତ ଅଧିକାରୀ ଅନୁମତି ଦେଇଛନ୍ତି ନା ନାହିଁ, ଏହା ସରକାରଙ୍କ କାର୍ୟ୍ୟବିଧି ପରିଚାଳନା ନିୟମକୁ ଉଲ୍ଲଂଘନ କରୁଛି କି ନାହିଁ; ଯଦି ହେଉଥାଏ, ତେବେ ମୁଖ୍ୟ ସଚିବ କାହିଁକି ନିରବ ରହିଛନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।