ଷ୍ଟ୍ରବେରି ଗୋଟା ୨୧ ହଜାର ଟଙ୍କା
ଜାପାନ : ଷ୍ଟ୍ରବେରି ପରି ରସାଳ ଫଳର ଅନେକ ପ୍ରଜାତି ରହିଥିବା ବେଳେ ‘ବିଜିନ-ହିମେ’ ବା ‘ସୁନ୍ଦରୀ ରାଜକୁମାରୀ’ ନାମକ ଏକ ପ୍ରକାର ଜାପାନୀ ଷ୍ଟ୍ରବେରିର ବୈଶିଷ୍ଟ୍ୟ ଅନନ୍ୟ। ତାହାର ଆକୃତି ଓ ରଙ୍ଗ ଏକଦମ୍ ମନଲାଖି ହୋଇଥିବା ବେଳେ ସ୍ବାଦ ମଧ୍ୟ ଅତୁଳନୀୟ। ଗୋଟିଏ ମାତ୍ର ‘ବିଜିନ୍-ହିମେ’ର ମୂଲ୍ୟ ହେଉଛି ୩୫୦ ଡଲାର ବା ୨୦,୮୦୬ ଟଙ୍କା। ସୁତରାଂ ତାହା ପୃଥିବୀର ଅନ୍ୟତମ ବ୍ୟୟବହୁଳ ଫଳର ମାନ୍ୟତା ବହନ କରୁଛି। ଦୀର୍ଘ ୪୫ ବର୍ଷର ଉଦ୍ୟାନକୃଷି ଅଭିଜ୍ଞତା ଥିବା ଜାପାନୀ ଚାଷୀ ମିକିଓ ଓକୁଡାଙ୍କ ଦ୍ବାରା ‘ସୁନ୍ଦରୀ ରାଜକୁମାରୀ’କୁ ବିକଶିତ କରାଯାଇଛି।
ସବୁଠାରୁ ବଡ଼ ତଥା ସ୍ବତନ୍ତ୍ର ଫଳଟି ଏକ ଟେନିସ୍ ବଲ ଆକାରର ଏବଂ ୧୦୦ ଗ୍ରାମ ଓଜନର। ତାହାର ବାସ୍ନା ଗୋଲାପ ଫୁଲ ପରି। ତାକୁ ଖାଇଲେ କୌଣସି ଅମ୍ଳୀୟ ପ୍ରତିକ୍ରିୟା ହୁଏ ନାହିଁ। କୋମଳତା ଓ ସ୍ଥାୟିତ୍ବ ଦୃଷ୍ଟିରୁ ତାହାର ଗଢ଼ଣ ବେଶ୍ ସନ୍ତୁଳିତ। ସେହିପରି ତାହାର ବାହାର ପଟର ଉଜ୍ଜ୍ବଳ ଲାଲ୍ ରଙ୍ଗ ଭିତର ଯାଏ ବଜାୟ ରହୁଛି। ସାଧାରଣତଃ ଷ୍ଟ୍ରବେରିର ଆକାର ଯେତେ ବଡ଼ ହୋଇଥାଏ, ତାହାର ସ୍ବାଦ ଓ ମଧୁରତା ସେତେ କମି ଆସିଥାଏ। ମାତ୍ର ବିଜିନ-ହିମେ କ୍ଷେତ୍ରରେ ତାହା ଭୁଲ୍ ପ୍ରମାଣିତ ହୋଇଛି। ଏହିସବୁ ବିରଳ ଗୁଣ ଯୋଗୁଁ ‘ସୁନ୍ଦରୀ ରାଜକୁମାରୀ’ ଷ୍ଟ୍ରବେରି ମୂଲ୍ୟ ଏତେ ଅଧିକ। ବିଶେଷଜ୍ଞ ଚାଷୀ ଓକୁଡା ବର୍ଷକୁ ମାତ୍ର ୫୦୦ ସଂଖ୍ୟକ ବିକ୍ରି ଉପଯୋଗୀ ଷ୍ଟ୍ରବେରି ବଜାରକୁ ଛାଡୁଛନ୍ତି।