ଦୁର୍ଭାଗ୍ୟ ଦୂରେଇ ଦିଏ ରତ୍ନପଥର!

ଦୁର୍ଭାଗ୍ୟ ଦୂରେଇ ଦିଏ  ରତ୍ନପଥର!

ଯେଉଁ ଗ୍ରହ ଆମ ପାଇଁ ଶୁଭ ଅଥଚ ଦୁର୍ବଳ ହେତୁ ଶୁଭଫଳ ଦେଇପାରୁ ନାହାନ୍ତି, ସେମାନଙ୍କ ପାଇଁ ଆମେ ରତ୍ନ ପରିଧାନ କରୁ। ରତ୍ନକୁ ଆମେ ସୁନା, ରୁପା, ତମ୍ବା ବା ପ୍ଲାଟିନମ୍ ମୁଦିରେ ଏପରି ପିନ୍ଧୁ ଯେପରି ତାହା ଆମ ଶରୀରକୁ ସ୍ପର୍ଶ କରେ। ଶୁଭରତ୍ନ ସମ୍ପୃକ୍ତ ଗ୍ରହର ଶୁଭରଶ୍ମିକୁ ଅଧିକ ପରିମାଣରେ ଆକର୍ଷଣ କରେ ଏବଂ ଅଶୁଭ ରଶ୍ମିକୁ ବିକିରଣ କରିଦିଏ। ତେଣୁ ଆମେ ଶୁଭଫଳ ପାଉ। କିନ୍ତୁ ଯେଉଁ ଗ୍ରହ ଆମ ଲଗ୍ନ ପାଇଁ ଅଶୁଭ ଆମେ ତା’ର ରତ୍ନ ପିନ୍ଧିବା ଉଚିତ ନୁହେଁ। ଅଶୁଭ ଗ୍ରହ ପାଇଁ ଆମେ କେବଳ ଦାନ, ହୋମ, ଜପ, ଗ୍ରହପୂଜା ଆଦି ଅନୁଷ୍ଠାନ କରିଥାଉ।
 

ମଣିଷ ଉପରେ ପରିବେଶର ପ୍ରତ୍ୟେକଟି ଜିନିଷର ପ୍ରଭାବ ରହିଛି- ପୃଥିବୀରେ ଥିବା ଗଛ, ପଶୁ, ପକ୍ଷୀ, ମୃତ୍ତିକା, ଜଳ, ବାୟୁ ଏବଂ ପୃଥିବୀ ବାହାରେ ଥିବା ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ଧୂମକେତୁ ପ୍ରଭୃତି ଜଡ଼ଚେତନ ନିର୍ବିଶେଷରେ ପ୍ରତ୍ୟେକଟି ବସ୍ତୁ ସ୍ଥୂଳ ବା ସୂକ୍ଷ୍ମ ଭାବରେ ଆମ ଉପରେ ପ୍ରଭାବ ପକାଇଥାନ୍ତି। ଉକ୍ତ ବସ୍ତୁର ରୂପ, ଗୁଣ, ଗନ୍ଧ, ରଙ୍ଗ, ଉତ୍ତାପ, ଆକାର, ପ୍ରକାର, ଆକର୍ଷକତ୍ବ, ବିକର୍ଷକତ୍ବ, ବିକିରଣ ଓ ଆମଠାରୁ ଦୂରତା ଇତ୍ୟାଦି ଅନୁସାରେ ସେହି ପ୍ରଭାବ କମ୍ ବା ବେଶୀ ବା ନଗଣ୍ୟ ହୋଇପାରେ। ପ୍ରଭାବ ଅତି ସମାନ୍ୟ ବା ନଗଣ୍ୟ ହେଲେ ଆମେ ତାହା ଅନୁଭବ କରିପାରୁନା, ଅଧିକ ହେଲେ ଅନୁଭବ କରୁ।

ମଶା, ପିମ୍ପୁଡ଼ି ଓ ଛାରପୋକ ଅତି ସାମାନ୍ୟ ଜୀବ ହେଲେ ମଧ୍ୟ ସେମାନଙ୍କର ପ୍ରଭାବ ଆମେ ଅନୁଭବ କରୁ, ଯଦି ଆମ ପାଖରେ ଥାନ୍ତି। କିନ୍ତୁ ହାତୀ, ସିଂହ, କୁମ୍ଭୀର ପ୍ରଭୃତି ବଡ଼ ଜନ୍ତୁ ଦୂରରେ ଥିଲେ ଆମେ ସେମାନଙ୍କ ପ୍ରଭାବ ଅନୁଭବ କରିପାରୁନା। ସେହିପରି ସୂର୍ଯ୍ୟ ଓ ଚନ୍ଦ୍ର ଆମ ପାଖରେ ଥିବାରୁ ସେମାନଙ୍କ ଉତ୍ତପ୍ତ ବା ଶୀତଳ କିରଣ ଆମେ ଅନୁଭବ କରିପାରୁ। ସେମାନଙ୍କ ରଶ୍ମି ଆମେ ଗ୍ରହଣ କରି ପ୍ରଭାବାନ୍ବିତ ହେଉ। ତେଣୁ ତାଙ୍କୁ ଗ୍ରହ (ପ୍ଲାନେଟ୍ ନୁହେଁ) କହୁ। ଦୂରରେ ଥିବା ଗ୍ରହ, ନକ୍ଷତ୍ରଙ୍କ ପ୍ରଭାବ ଆମେ କମ୍ ଅନୁଭବ କରୁ। ଗ୍ରହ-ନକ୍ଷତ୍ର ଆଦି ସମସ୍ତଙ୍କ ଉପରେ ସମାନ ଭାବରେ ରଶ୍ମି ଢାଳନ୍ତି, କିନ୍ତୁ ଆମର ଗ୍ରହଣକ୍ଷମତା ଅନୁସାରେ ଆମେ କମ୍ ବା ବେଶୀ ଗ୍ରହଣ କରୁ ଏବଂ ସେହି ଅନୁସାରେ ଶୁଭ ବା ଅଶୁଭ ଫଳ ପାଇଥାଉ। ଗ୍ରହମାନଙ୍କର ଅଶୁଭତ୍ବ ଦୂର କରିବା ପାଇଁ ପୂଜା, ହୋମ, ଜପ, ଦାନ ଆଦି ଅନେକ ବିଧାନ ରହିଛି। ଗ୍ରହରତ୍ନ ଧାରଣ ବି ସେଥି ମଧ୍ୟରୁ ଅନ୍ୟତମ।


ମେଷ ଲଗ୍ନ ପାଇଁ ମଙ୍ଗଳ, ବୃହସ୍ପତି ଓ ରବି ଶୁଭ। ବୃଷ ଲଗ୍ନ ପାଇଁ ଶୁକ୍ର, ଶନି ଓ ବୁଧ ଶୁଭ। ମିଥୁନ ଲଗ୍ନ ପାଇଁ ବୁଧ, ଶୁକ୍ର ଓ ଶନି ଶୁଭ। କର୍କଟ ଲଗ୍ନ ପାଇଁ ଚନ୍ଦ୍ର, ମଙ୍ଗଳ ଓ ବୃହସ୍ପତି ଶୁଭ। ସିଂହ ଲଗ୍ନ ପାଇଁ ରବି, ମଙ୍ଗଳ ଓ ବୃହସ୍ପତି ଶୁଭ। କନ୍ୟା ଲଗ୍ନ ପାଇଁ ବୁଧ, ଶୁକ୍ର ଓ ଶନି ଶୁଭ। ତୁଳା ଲଗ୍ନ ପାଇଁ ଶୁକ୍ର, ଶନି ଓ ବୁଧ ଶୁଭ। ବିଛା ଲଗ୍ନ ପାଇଁ ମଙ୍ଗଳ, ବୃହସ୍ପତି, ଚନ୍ଦ୍ର ଓ ରବି ଶୁଭ। ଧନୁ ଲଗ୍ନ ପାଇଁ ବୃହସ୍ପତି, ମଙ୍ଗଳ, ରବି ଶୁଭ। ମକର ଲଗ୍ନ ପାଇଁ ଶନି, ଶୁକ୍ର ଓ ବୁଧ ଶୁଭ। କୁମ୍ଭ ଲଗ୍ନ ପାଇଁ ଶନି, ଶୁକ୍ର ଓ ବୁଧ ଶୁଭ। ମୀନ ଲଗ୍ନ ପାଇଁ ବୃହସ୍ପତି, ମଙ୍ଗଳ ଓ ଚନ୍ଦ୍ର ଶୁଭ। ନିର୍ଦ୍ଦିଷ୍ଟ ଲଗ୍ନ ପାଇଁ ଶୁଭଗ୍ରହର ରତ୍ନ ପିନ୍ଧିବା ଉଚିତ, ଯଦି ଉକ୍ତ ଗ୍ରହ ଶୁଭ ଭାବରେ ଥାଇ ଶୁଭପ୍ରଦ ହୋଇଥାନ୍ତି କିନ୍ତୁ ଦୁର୍ବଳ ହେତୁ ବାଞ୍ଛିତ ଶୁଭଫଳ ଦେଇପାରୁ ନ ଥାନ୍ତି।