ସାମ୍ବାଦିକଙ୍କ ଗୁଣ ପାଇଁ ସମ୍ପାଦକ ପଦ ଛାଡ଼ିଲି: ସୌମ୍ୟ

ସାମ୍ବାଦିକଙ୍କ ଗୁଣ ପାଇଁ ସମ୍ପାଦକ ପଦ ଛାଡ଼ିଲି: ସୌମ୍ୟ

ଭୁବନେଶ୍ୱର: ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟ ପଟ୍ଟନାୟକ ବଡ଼ ମନ୍ତବ୍ୟ ଦେଇଛନ୍ତି ।  ଆଉ ସମ୍ବାଦ ଖବରକାଗଜର ସମ୍ପାଦକ ପଦ କାହିଁକି ଛାଡ଼ିଲେ ତାହାର କାରଣ ମଧ୍ୟ ସେ କହିଛନ୍ତି । 

 ସମ୍ପାଦକ ପଦ କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯେଉଁ ସାମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । 

ଏହାଛଡ଼ା ସେ କହିଛନ୍ତି ଯେ ଆଗାମୀ ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି । କିନ୍ତୁ ପ୍ରାୟ ଲଢିବି ନାହିଁଁ । ମୋର ଦଳ ନାହିଁ କି ଖବରକାଗଜ ନାହିଁ । ମୋର କିଛି ନାହିଁ ବୋଲି ସୌମ୍ୟ କହିଛନ୍ତି ।

ସେହିପରି ଓଡ଼ିଆ ଅସ୍ମିତା, ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସେ ନିଜ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ବିକାଶ ନାମରେ ରାସ୍ତାଘାଟ ଓ କୋଠାବାଡ଼ି କରିଦେବା ବିକାଶ ନୁହେଁ । ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଓଡ଼ିଆ ଅସ୍କମିତାର ପ୍ରମାଣ ଓଡିଆ ଯୁବକଙ୍କ ପାଖରେ ମୁଁ ଦେଖୁନାହିଁ । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ କରୁନାହାନ୍ତି । 

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ୨୦୧୫ ମସିହାରୁ ସେ ଜଗନ୍ନାଥ ମନ୍ଦିର ଯାଇନଥିବା କହିଛନ୍ତି । 
ତାଙ୍କ କହିବା ଅନୁଯାୟୀ ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସାମ୍ବାଦିକମାନେ ସନେ୍ଦହ ସୃଷ୍ଟି କଲେ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ସେ ଯେଉଁଠୁ ଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ ଓ ଦାସଆବାଉରୀ ଭଳି ଯେଉଁଠି ଡାକିଲେ ବି ଜଗନ୍ନାଥ ଭକ୍ତଙ୍କ ପ୍ରାର୍ଥନା ଶୁଣିବେ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି ।