ସିମୁଳିଆ ବିଜେଡ଼ି ଟିକେଟ ରେସରେ ପ୍ରଦୀପ୍ତ

ସିମୁଳିଆ ବିଜେଡ଼ି ଟିକେଟ ରେସରେ ପ୍ରଦୀପ୍ତ

ସିମୁଳିଆ ରାଜନୀତିରେ ଏବେ ‘ଖଇରା’ ନାରା ଶୁଭିବାରେ ଲାଗିଲାଣି  । ଖଇରା ବ୍ଳକ ହିଁ ନେତାଙ୍କୁ ବିଜୟର ଟୀକା ପିନ୍ଧାଇଥାଏ  । ହେଲେ ଖଇରାର ନେତାଙ୍କୁ ସୁଯୋଗ ମିଳୁନଥିବାରୁ ତାହାକୁ ନେଇ ଭିନ୍ନ ଏକ ମାହୋଲ ସୃଷ୍ଟି ହେବାରେ ଲାଗିଛି  । ଖଇରାରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଏବେ ବିଭିନ୍ନ ମହଲରେ ଦାବି ଉଠିଛି  । ଏକଦା ବିଜେଡ଼ି ଟିକେଟ ରେସରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଶଶୀଭୂଷଣ ସାହୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା  । ହେଲେ ଏବେ ସିମୁଳିଆ ରାଜନୀତିରେ ଏହି ଦୁଇ ନେତାଙ୍କ ଅପେକ୍ଷା ପ୍ରଦୀପ୍ତ କୁମାର ଦାସ ବେଶୀ ଚର୍ଚ୍ଚାରେ ରହିଛନ୍ତି  ।
ଖଇରା ଓ ସିମୁଳିଆ ବ୍ଳକକୁ ନେଇ ସିମୁଳିଆ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି  । ତେବେ ଖଇରାରେ ୩୭ଟି ପଂଚାୟତ ଥିବାବେଳେ ସିମୁଳିଆରେ ରହିଛି ୨୨ଟି ପଂଚାୟତ  । ଖଇରା ବ୍ଳକରେ ୧ ଲକ୍ଷ ୩୦ ହଜାରରୁ ଅଧିକ ଭୋଟର ମଧ୍ୟ ରହିଛନ୍ତି  । ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଖଇରା ବ୍ଳକର ନେତାଙ୍କୁ ହିଁ ବିଜେଡ଼ି ପ୍ରାର୍ଥୀ କରୁ ବୋଲି କର୍ମୀମାନେ ଦାବି କରିଛନ୍ତି  । ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଟିକେଟ ରେସରେ ଆଗରେ ଥିଲେ ମଧ୍ୟ ତାଙ୍କୁ ଚେକ ଦେଉଛନ୍ତି ଶଶୀଭୂଷଣ ସାହୁ  । କିନ୍ତୁ ଏବେ ଏହି ଦୁଇ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ପ୍ରଦୀପ୍ତ କୁମାର ଦାସ  । ପ୍ରଦୀପ୍ତ ହେଉଛନ୍ତି ଖଇରା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନ, ବିଜେଡ଼ିର ବ୍ଳକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଭାସ୍କର ଦାସଙ୍କ ପୁଅ  । ଭାସ୍କରଙ୍କର ସିମୁଳିଆରେ ବେଶ ଲୋକପ୍ରିୟତା ରହିଛି  । ସେ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ବ୍ଳକ ଅଧ୍ୟକ୍ଷ ଥିବାବେଳେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭ୍ୟ ଥିଲେ  । ବାପାଙ୍କ ଭଳି ପୁଅ ପ୍ରଦୀପ୍ତଙ୍କର ମଧ୍ୟ ବେଶ ଲୋକପ୍ରିୟତା ରହିଛି  । ନାଲକୋର ଅର୍ଥ ବିଭାଗରେ ସେ କାର୍ଯ୍ୟ କରୁଥିବାବେଳେ ଜଣେ ଲୋକପ୍ରିୟ ଶ୍ରମିକ ନେତା ଭାବେ ତାଙ୍କର ଖ୍ୟାତି ରହିଛି  । ତେଣୁ ଭାସ୍କରଙ୍କ ସମର୍ଥକମାନେ ଏବେ ପ୍ରଦୀପ୍ତଙ୍କ ପାଇଁ ଟିକେଟ ଲବି ଆରମ୍ଭ କରିଦେଇଛନ୍ତି  । ଦୀର୍ଘଦିନ ଧଣି ପାଣିଗ୍ରାହୀ ପରିବାର କବଜାରେ ସିମୁଳିଆ ରାଜନୀତି ରହିଥିବାରୁ ଜନ ଅସନ୍ତୋଷ ବି ବଢ଼ିବାରେ ଲାଗିଛି  । ସେହିପରି ବିଗତ ଦିନରେ ବିଧାୟକ କେତେକ କାରଣରୁ ବଦନାମ ମଧ୍ୟ ହୋଇଛନ୍ତି  । ତେଣୁ ପ୍ରଦୀପଙ୍କ ଭଳି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କୁ ଟିକେଟ ଦିଆଯାଉ ବୋଲି ଦାବି ଆରମ୍ଭ ହୋଇଗଲାଣି  । ସିମୁଳିଆର ଗାଁ ଗାଁରେ ଏବେ ପ୍ରଦୀପ୍ତଙ୍କୁ ନେଇ ଚର୍ଚ୍ଚା ବି ଜୋରଧରିଛି  ।
ଅପରପକ୍ଷରେ ବିଜେପି ଟିକେଟ ରେସରେ ଅଛନ୍ତି ପଦ୍ମଲୋଚନ ପଣ୍ଡାଙ୍କ ପୁଅ ନୀଳମାଧବ ପଣ୍ଡା, ଅଣୁମାଧବ ପଣ୍ଡା, ଯୁବ ବିଜେପି ନେତା ଠାକୁର ରଣଜିତ ଦାସ ଓ ଖଇରା ବ୍ଳକ ଅଧ୍ୟକ୍ଷା ଅଭୀଲିପ୍ସା ସାହୁ  । କଂଗ୍ରେସ ମଧ୍ୟ ବିଜେଡ଼ି ଓ ବିଜେପିକୁ ଟକ୍କର ଦେବାକୁ ରଣନୀତି କରିଛି  । କଂଗ୍ରେସ ନେତା ହିମାଂଶୁ ଶେଖର ବେହେରା ଏବେ ଟିକେଟ ରେସରେ ଆଗରେ ରହିଛନ୍ତି  । ତେବେ ସେ ଯାହାହେଉନା କାହିଁକି ତିନି ଦଳରେ ଏବେ ‘ଖଇରା’ ରାଜନୀତି ସରଗରମ ହେବାରେ ଲାଗିଛି  ।