ହିନ୍ଦୁ ମନ୍ତବ୍ୟ ମାମଲା: ସାଂସଦ ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ
ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଥିବାବେଳେ ଉତ୍ତରାଖଣ୍ଡ ଜ୍ୟୋତିର୍ମଠର ୪୬ତମ ଶଙ୍କାରଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ରାହୁଲଙ୍କୁ ସମର୍ଥନ କରିଛନ୍ତି ।
ହିନ୍ଦୁଙ୍କ ଅନ୍ୟତମ ପ୍ରମୁଖ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ହିନ୍ଦୁଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟ ବାବଦରେ ଜାଣିବା ପରେ ତାଙ୍କ ସମ୍ପୂର୍ଣ୍ଣ ଭାଷଣକୁ ଧ୍ୟାନ ସହକାରେ ଶୁଣିଛୁ ।
ସେ ଏହା ସ୍ପଷ୍ଟ ଭାବେ କହିଛନ୍ତି ଯେ ହିନ୍ଦୁ ଧର୍ମ ହିଂସାକୁ କେବେ ସ୍ୱୀକାର କରେନାହିଁ । ଭାଷଣରେ ରାହୁଲ କିଛି ଭୁଲ୍ କହିଥିବା ଦେଖାଯାଇନାହିଁ । ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାହୁଲ କହିଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ ସତ୍ୟ । ତାଙ୍କ ଭାଷଣକୁ ଏଡିଟ୍ କରି ଅଧା ସତ ପ୍ରସାର କରିବା ଏକ ଅପରାଧ । ଏପରି ପ୍ରଚାର କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ, କୌଣସି ଖବରକାଗଜ ହେଉ ବା ଚ୍ୟାନେଲ । ରାହୁଲ କେନ୍ଦ୍ର ସରକାରରେ ଥିବା ଏକ ପାର୍ଟି ଉଦ୍ଦେଶ୍ୟରେ ଏହି ମନ୍ତବ୍ୟ ଦେଇଥିଲେ, ହିନ୍ଦୁତ୍ୱ ଉପରେ ନୁହେଁ । ସେମାନେ ଧର୍ମ ଆଳରେ ହିଂସା ବିସ୍ତାର କରୁଛନ୍ତି ବୋଲି ରାହୁଲ କହିଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି ।
ପ୍ରକାଶଥାଉ କି, ଲୋକସଭାରେ ରାହୁଲ କହିଥିଲେ, ବିଜେପି-ଆର୍ଏସ୍ଏସ୍ ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହନ୍ତି । ହିନ୍ଦୁ ଧର୍ମରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ନିଜକୁ ହିନ୍ଦୁ କହି ହିଂସା ବିସ୍ତାର କରୁଛନ୍ତି ସେମାନେ ହିନ୍ଦୁ ନୁହନ୍ତି । ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଥିଲା। ରାହୁଲ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ବିଜେପି ନେତାମାନେ କହିଥିଲେ ।