ସେଙ୍ଗୋଲ କ’ଣ ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂତନ ସଂସଦ ଭବନରେ ଐତିହାସିକ ରାଜଦଣ୍ଡ ସେଙ୍ଗୋଲକୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନ କରିଛନ୍ତି। ତେବେ ଏହି ସେଙ୍ଗୋଲ କ’ଣ ତା’ ଉପରେ କିଛି ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦାନ କରାଗଲା। ବାଚସ୍ପତିଙ୍କ ଆସନ ପାଖରେ ଆନୁଷ୍ଠାନିକ ଭାବେ ସ୍ଥାପିତ ରାଜଦଣ୍ଡ ହେଉଛି ସେଙ୍ଗୋଲ। ଏହା ତାମିଲ ଶବ୍ଦ ‘ସେମ୍ମାଇ’ରୁ ଉତ୍ପନ୍ନ, ଯାହାର ଅର୍ଥ ଧାର୍ମିକତା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତ ଇତିହାସରେ ସେଙ୍ଗୋଲର ପ୍ରମୁଖ ଭୂମିକା ରହିଥିଲା। ବ୍ରିଟିସ ସରକାରଙ୍କଠାରୁ ଭାରତୀୟଙ୍କୁ କ୍ଷମତା ହସ୍ତାନ୍ତରର ପ୍ରତୀକ ସ୍ବରୂପ ଏହି ରାଜଦଣ୍ଡକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଅର୍ପଣ କରାଯାଇଥିଲା। ଆଜିଯାଏ ଏହି ରାଜଦଣ୍ଡଟି ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରହିଥିଲା। ନୂତନ ସଂସଦ ଭବନରେ ଏହାର ସ୍ଥାପନ ପୂର୍ବରୁ ତାମିଲନାଡୁର ବିଭିନ୍ନ ଅଧୀନମ୍ (ମଠ)ର ୨୧ ମହନ୍ତଙ୍କ ଦ୍ୱାରା ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେଙ୍ଗୋଲ ହସ୍ତାନ୍ତର କରାଯାଇଥିବା ବ୍ୟକ୍ତିଙ୍କଠାରୁ ଏକ ନ୍ୟାୟପୂର୍ଣ୍ଣ ଓ ନିରପେକ୍ଷ ଶାସନ ଆଶା କରାଯାଇଥାଏ।