ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି, ଯାହାବି ହୋଇଛି ତାହା କଂଗ୍ରେସର ପରିବାର କଥା:ଶରତ

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ: ଚେଲାକୁମାର
ଭୁବନେଶ୍ବର : ଦଳୀୟ କନ୍ଦଳ ଭିତରେ ଶନିବାର ଦିନ ରାଜ୍ୟ କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି।ତେବେ ବୈଠକରେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ରାଜସ୍ଥାନରେ ଯେପରି ବିନା ନିଲମ୍ବନରେ ଗେହଲଟ-ପାଇଲଟଙ୍କ ବିବାଦର ସମାଧନ କରାଗଲା ଓଡ଼ିଶାରେ ଏଭଳି କାହିଁକି କରାଗଲାନି ବୋଲି ଏକାଧିକ ନେତା ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବୈଠକରେ କଥା କଟାକଟି ହୋଇଥିଲା। ତେବେ ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଭାରୀ ରୋକଠୋକ୍ ଶୁଣାଇଥିବା ସୂଚନା ମିଳିଛି। ମାତ୍ର ଏ ସଂପର୍କରେ ବାହାରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସହିତ ରାଜ୍ୟରେ ଦଳ କାହିଁକି ବାରମ୍ବାର ପରାଜୟର ଶିକାର ହେଉଛି ତାହା ଉପରେ ଆଲୋଚନା ହୋଇଥିଲା।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟର ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ରାଜ୍ୟବାସୀ ବିଜେଡିର କାର୍ୟ୍ୟକଳାପ ସଂପର୍କରେ ଅବଗତ ହେଲେଣି। ଆଗାମୀ ଦିନରେ ନିଶ୍ଚିତଭାବେ ରାଜ୍ୟବାସୀ କଂଗ୍ରେସକୁ ସମର୍ଥନ କରିବେ। ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ଯାହାବି ହୋଇଛି ତାହା କଂଗ୍ରେସର ପରିବାର କଥା। ରାଜ୍ୟରେ ଅଫିସର ରାଜ ଚାଲୁଥିବା ବେଳେ ଓଡ଼ିଶାରେ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡ଼ିବ। ବିଦ୍ୟୁତ କ୍ଷେତ୍ରରେ ହଜାର ହଜାର କୋଟି ଆତ୍ମସାତ ହୋଇଥିବା ବେଳେ ଓଡ଼ିଆ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲୁ ନ ଥିବା ବେଳେ ମଣିପୁର ଘଟଣାରେ ବିଜେଡି କୌଣସି ପ୍ରତିକ୍ରିୟା ଦେଇନାହିଁ। ବୁଥସ୍ତରରେ କଂଗ୍ରେସକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।