ପୁରାଣ ଅନୁସାରେ ସରସ୍ୱତୀଙ୍କ ଜନ୍ମ ଓ ପୂଜା

ପୁରାଣ ଅନୁସାରେ ସରସ୍ୱତୀଙ୍କ ଜନ୍ମ ଓ ପୂଜା

ଆମ ପୁରାଣ ପରମ୍ପରାରେ ସରସ୍ୱତୀ ଉଭୟ ନଦୀ ଓ ଦେବୀ। ତାଙ୍କର ଜନ୍ମ ସଂପର୍କରେ ମଧ୍ୟ ବିଭିନ୍ନ ଉପାଖ୍ୟାନ ରହିଛି। କେତେକ ପୁରାଣ ଅନୁସାରେ, ଦେବୀ ସରସ୍ୱତୀ ବ୍ରହ୍ମାଙ୍କ କନ୍ୟା। ପୁଣି ‘ଦେବୀ ଭାଗବତ’ ଅନୁସାରେ ସେ ବ୍ରହ୍ମାଙ୍କ ପତ୍ନୀ। ‘ମହାଭାରତ’ରେ ସେ ଦକ୍ଷ ପ୍ରଜାପତିଙ୍କ କନ୍ୟା। କେତେକ ପୁରାଣ ଅନୁସାରେ, ଦେବୀ ସରସ୍ୱତୀ ପରମାତ୍ମାଙ୍କ ମୁଖରୁ ଜାତ ହୋଇଥିବା ବେଳେ, ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ସେ ଶ୍ରୀରାଧାଙ୍କ ମୁଖରୁ ଜାତ ହୋଇଛନ୍ତି ବୋଲି କୁହାଯାଇଛି।

ଏହି ପୁରାଣର ‘ପ୍ରକୃତିଖଣ୍ଡ’ର ବର୍ଣ୍ଣନା ଅନୁସାରେ, କେଉଁ ଦେବୀ କାହିଁକି ଜନ୍ମ ନେଲେ ଏବଂ କେଉଁ ଦେବୀଙ୍କୁ କିଏ ପୂଜା କଲେ, ତାହା କହିବାପାଇଁ ନାରଦ ନାରାୟଣଙ୍କୁ ଅନୁରୋଧ କରିଛନ୍ତି। ନାରାୟଣ ତାହାର ଉତ୍ତରରେ, ଦୁର୍ଗା, ରାଧା, ସରସ୍ୱତୀ, ଲକ୍ଷ୍ମୀ ଓ ସାବିତ୍ରୀ- ଏହି ପାଞ୍ଚଦେବୀଙ୍କ ସଂପର୍କରେ କହିଛନ୍ତି। ସେ କହିଛନ୍ତି- ଏମାନେ ପାଞ୍ଚ ପ୍ରକୃତି ଏବଂ ସବୁଠାରେ ସମ ଭାବରେ ବିଦ୍ୟମାନ। ଏହି ପ୍ରସଙ୍ଗରେ ଆସିଛି ଦେବୀ ସରସ୍ୱତୀଙ୍କ କଥା। ନାରାୟଣ କହିଛନ୍ତି- ରାଧାଙ୍କ ମୁଖରୁ ଜନ୍ମ ହେବା ପରେ, ସରସ୍ୱତୀ ନିଜ ମାତାଙ୍କ ପରି, ଘନ ଘନ ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁଲେ। ତାହା ଦେଖି ଶ୍ରୀକୃଷ୍ଣ କହିଲେ- ତୁମର ମାତା ରାଧା ତୁମଠାରୁ ବଳବତୀ। ଏହି କାରଣରୁ ତୁମେ ମୋ ପାଖରେ ରହିପାରିବ ନାହିଁ। ଏଣୁ ମୋ ପ୍ରତି ଥିବା ବାସନା ମନରୁ ଛାଡ଼ି, ତୁମେ ବୈକୁଣ୍ଠକୁ ଯାଅ ଏବଂ ନାରାୟଣଙ୍କୁ କାନ୍ତରୂପେ ବରଣ କର। ଲକ୍ଷ୍ମୀଙ୍କ ପରି ତୁମେ ମଧ୍ୟ ଶାନ୍ତମତି ଓ ଗୁଣବତୀ; ତେଣୁ ନାରାୟଣ ତୁମ ଦୁହିଁଙ୍କୁ ଏକାପରି ଗ୍ରହଣ କରିବେ। ତୁମର ଜନ୍ମଦିବସ ହେତୁ, ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀରେ ତୁମର ପୂଜା ହେବ।

ଏହା କହି ଶ୍ରୀକୃଷ୍ଣ ପ୍ରଥମେ ସରସ୍ୱତୀଙ୍କୁ ପୂଜା କଲେ। ତା’ ପରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଅନନ୍ତ, ଧର୍ମ, ମୁନୀନ୍ଦ୍ର, ସନକାଦି ଋଷି ଓ ମନୁଗଣ ଏବଂ ନରପତି ଓ ନର- ସମସ୍ତେ ତାଙ୍କର ପୂଜା କଲେ। ସେତେବେଳେ ଶ୍ରୀକୃଷ୍ଣ କହିଥିଲେ- ତୁମର ପ୍ରସାଦ ଫଳରେ ମୂର୍ଖ ମଧ୍ୟ ଜ୍ଞାନବାନ ହୋଇ ପାରିବ। ତୁମକୁ ପୂଜା କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହେବ।
‘ବ୍ରହ୍ମବୈବର୍ତ୍ତ ପୁରାଣ’ ଅନୁସାରେ, ସେହିଦିନଠାରୁ ବିଦ୍ୟାଦାତ୍ରୀ ଭାବରେ ବାଗ୍‌ଦେବୀ ସରସ୍ୱତୀଙ୍କର ପୂଜା ହୋଇଆସୁଛି।