ବଡ଼ ଅଭିଯୋଗ ଆଣିଲେ ସମ୍ବିତ

ବଡ଼ ଅଭିଯୋଗ ଆଣିଲେ ସମ୍ବିତ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ । ନିଜ ବାପାଙ୍କ ଅବସ୍ଥା ସଂକଟାପନ୍ନ ଦେଇ ସମ୍ବିତ କ୍ୟାପିଟାଲ ହସ୍ପିଟାଲକୁ ଦାୟୀ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ବାପାଙ୍କ ଏଭଳି ଅବସ୍ଥା ହେଲା ବୋଲି ସେ ଅଭିଯୋଗ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଗତ ୧୮ ତାରିଖ ରାତିରେ ବାପାଙ୍କୁ ହାର୍ଟଆଟାକ ହୋଇଥିଲା । ଆମେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲୁ । ରାତି ୩ଟାରେ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ତେବେ ସେଠାରେ ବାରମ୍ବାର କହିବା ସତ୍ତ୍ୱେ ସେଠାରେ କେହି ସିପିଆର ଦେଲେନି । ବାଧ୍ୟ ହୋଇ ସେଠାରୁ ବାପାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଆଣିଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି ।  ତେବେ ସମ୍ବିତଙ୍କ ଅଭିଯୋଗ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ପ୍ରକାଶ ଯେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବା ଜଣାଯାଇଛି ।  ତାଙ୍କର ବ୍ରେନ ଡେଡ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସେ କହିଛନ୍ତି । ଗତ କିିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ଏପରିକି ଗତ କିଛି ଦିନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ଗତ କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ବହିଷ୍କାର ପ୍ରତ୍ୟାହାର କରି ପୁଣିଥରେ ବିଜେଡିକୁ ଫେରାଇ ଆଣିଥିଲେ ନବୀନ ପଟ୍ଟନାୟକ ।