ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି
ରାଉରକେଲା: ଦିଲ୍ଲୀରୁ ଫେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଦିଲୀପ ରାୟଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛି। ଦିଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ।
ଦିଲୀପ ବିଜେପି ଟିକେଟରେ ରାଉରକେଲାରୁ ଲଢ଼ିବେ ବୋଲି ପୂର୍ବରୁ ଜୁଏଲ କହି ସାରିଥିଲେ। କିନ୍ତୁ ବୁଧବାର ଦିଲୀପ ରାୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ପ୍ରତି ଥିବା ସମର୍ଥନକୁ ଦେଖି ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ କହିଛନ୍ତି ଯେ “ମୁଁ ବିଜେପିରେ ଅଛି। ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି। ମୁଁ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲି। କିନ୍ତୁ ଦଳ ତାକୁ ଗ୍ରହଣ କରି ନାହିଁ। ତେଣୁ ମୁଁ ବିଜେପି ଦଳର ସଦସ୍ୟ। ନିର୍ବାଚନ ପାଇଁ ଲୋକମାନେ ପ୍ରସ୍ତୁତ ଅଛନ୍ତି। ମୁଁ ବି ପ୍ରସ୍ତୁତ ଅଛି। ପାର୍ଟି ଯାହା ନିଷ୍ପତ୍ତି ନେବେ, ସେକଥା ୨ ଦିନ ଭତିରେ ଜଣାପଡ଼ି ଯିବ।”




