ମାଗଣା ୧ଜିବି ଡାଟାରେ ପାଠ ପଢ଼ିବେ ପିଲା

ଭୁବନେଶ୍ବର : ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମାଗଣାରେ ୱାଇଫାଇ ସେବା ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ୧ଜିବି ଇଣ୍ଟରନେଟ୍ ଡାଟା ଯୋଗାଇ ଦିଆଯିବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ସହଜରେ ବିଭିନ୍ନ ଅନଲାଇନ୍ କ୍ଲାସ୍ କରିବା ସହ ବିଭିନ୍ନ ପାଠ୍ୟକ୍ରମର ନୋଟ୍ ଡାଉନଲୋଡ୍ କରିପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି। ଗୁରୁବାର ଦିନ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ ୨୦୧୯ ମସିହାରେ ବିଜେଡିର ନିର୍ବାଚନ ଇସ୍ତାହାରରେ ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ମାଗଣା ୱାଇଫାଇ ସହ ପ୍ରତି ପିଲାଙ୍କୁ ମାଗଣା ୧ଜିବି ଇଣ୍ଟରନେଟ୍ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ଏବେ ସୁଦ୍ଧା ପୂରଣ ହୋଇନି।
ତେଣୁ ଏହାକୁ ଆସନ୍ତା ଶିକ୍ଷା ବର୍ଷ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ କୁହାଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କୁ ଯେପରି ପାଠପଢ଼ା ସରିବା ପରେ ନିଯୁକ୍ତି ମିଳିବ ସେଥିପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ। ଏଥିପାଇଁ ନାସକମ୍ ଏବଂ ଇନଫୋସିସ୍ ସ୍ପ୍ରିଙ୍ଗବୋର୍ଡ ସହ ଏମ୍ଓୟୁ ସ୍ବାକ୍ଷର କରାଯିବ। ଅଧିକ ଛାତ୍ରଛାତ୍ରୀ ଯେପରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଭାଗ ନେବେ ସେଥିପାଇଁ ‘ଛାତ୍ର କ୍ରୀଡ଼ା ନୀତି’ ଅଣାଯିବ। ଏହାର ଚିଠା ନୀତି ପ୍ରସ୍ତୁତ ହୋଇ ସାରିଥିବାବେଳେ ଖୁବ୍ ଶୀଘ୍ର ଏହାକୁ ଚୂଡ଼ାନ୍ତ କରାଯିବ।
ଛାତ୍ରଛାତ୍ରୀମାନେ ସେମାନଙ୍କ ଗବେଷଣା ସନ୍ଦର୍ଭକୁ ଯେପରି ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରିପାରିବେ ସେଥିପାଇଁ ‘ଛାତ୍ର ଷ୍ଟାର୍ଟଅପ୍ ପଲିସି’ ଆସିବ। ଏଥିରେ ଛାତ୍ରଛାତ୍ରୀଙ୍କୁ ପ୍ରାରମ୍ଭିକ ବ୍ୟବସାୟ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଥିଲେ, ଚଳିତବର୍ଷ ଠାରୁ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି। ଆସନ୍ତାବର୍ଷ ଠାରୁ ଓଡ଼ିଶାରୁ ବହୁ ଛାତ୍ରଛାତ୍ରୀ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଭଲ ରୢାଙ୍କ୍ ରଖିବେ। ଆଗାମୀ ଦିନରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟସ୍ତରରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ହେବ ବୋଲି ମନ୍ତ୍ରୀ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଉପସ୍ଥିତ ଥିଲେ।