ରହସ୍ୟରେ ରତ୍ନ ଭଣ୍ଡାର ଜାଣନ୍ତୁ କାରଣ, ଗଣତିରେ ଡେରି କାହିଁକି
ହଜାରହଜାର ବର୍ଷର ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର। କିଏ କହେ ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ ଅଛି ତ ଆଉ କିଏ ମତ ଦିଅନ୍ତି ତା ଭିତରେ ଗୁପ୍ତିକୋଠରୀ ଅଛି। ସେତେବେଳର ରାଜାମହାରାଜା ମାନେ ବିଭିନ୍ନ ରାଜ୍ୟ ଜୟ କରି ଦୁର୍ମୂଲ୍ୟ ଅଳଙ୍କାର ସବୁକୁ ରତ୍ନଭଣ୍ଡାର ଭିତରେ ରଖୁଥିଲେ। ସେଥିପାଇଁ ତ ସବୁବେଳେ ଚର୍ଚ୍ଚା ଭିତର ରତ୍ନଭଣ୍ଡାର ଭିତରେ ରହିଛି ଅନେକ ଗୁପ୍ତିକୋଠରୀ ଓ ଗୁପ୍ତ ସୁଡଙ୍ଗ। ଏ ରହସ୍ୟ ଉପରୁ ଏବେ ପରଦା ହଟିବାକୁ ଯାଉଛି। ହଟିବ ପରଦା,,ଦୂରହେବ ସସପେନ୍ସ। ଭିତର ରତ୍ନଭଣ୍ଡାର ମରାମତି ପୂର୍ବରୁ Asi ଦ୍ବାରା ପ୍ରଥମେ ଯାଞ୍ଚ କରାଯିବ ଓ କେଉଁ ଉପାୟ ଅବଲମ୍ବନ କରି ବା କେଉଁ ନୂତନ ଟେକ୍ନଲୋଜି ବ୍ୟବହାର କରି ଭିତର ରତ୍ନଭଣ୍ଡାରକୁ ଯାଞ୍ଚ କରାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।
ନିଷ୍ପତ୍ତି ଆଧାରରେ ମରାମତି ପୂର୍ବରୁ ଭିତର ରତ୍ନଭଣ୍ଡାର ଯାଞ୍ଚ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରଖିଛନ୍ତି ବଡ ପ୍ରତିକ୍ରିୟା। ପୁରୁଖା ଲୋକଙ୍କ ମତକୁ ସମ୍ନାନ,,ସେବକଙ୍କ ଦାବିକୁ ଯଥାର୍ଥ ଓ ଭକ୍ତଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭିତର ରତ୍ନଭଣ୍ଡାର ଅତ୍ୟାଧୁନିକ ଞ୍ୟାନକୌଶଳ ଦ୍ୱାରା ଯାଞ୍ଚ କରିବାକୁ ନେଇଛନ୍ତି ବଡ ନିଷ୍ପତ୍ତି। ଜିପିଆର ସର୍ଭେ କରାଯାଇ ଭିତର ରତ୍ନଭଣ୍ଡାରକୁ ପ୍ରଥମେ ତନତନ କରି ଯାଞ୍ଚ କରାଯିବ। ଏବେ ରତ୍ନଭଣ୍ଡାରକୁ ଜିପିଆର ସର୍ଭେ କରାଯିବା କଥା ଆଇନମନ୍ତ୍ରୀ କହିବା ପରେ ଗୁପ୍ତ ସୁଡଙ୍ଗ ଓ ଗୁପ୍ତକୋଠରୀ ଉପରୁ ରହସ୍ୟ ଉଠିବ ବୋଲି ଆଶା ସଞ୍ଚାର ହୋଇଥିବା ବେଳେ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମହଲରେ ଏହାକୁ ସ୍ୱାଗତ କରାଯାଇଛି। କେବଳ ଏତିକି ନୁହେଁ ରତ୍ନଗଣତି ବେଳେ ମଧ୍ୟ ଅତ୍ୟାଧୁନିକ ଟେକ୍ନଲୋଜି ପ୍ରୟୋଗ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି।
ଏବେ ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ। ଏମାର ମଠ ପରିସରରୁ ପ୍ରଥମେ ରୂପାଇଟା,,ପରେ ମାଟିତଳୁ ପରିତ୍ୟକ୍ତ ଅବସ୍ଥାରେ ସିଂହମୂର୍ତ୍ତି ବାହାରିବା ଓ ଚଟାଣ ଠାବହେବା ପରେ ଆହୁରି ଗୁପ୍ତଧନ ଆଶଙ୍କା ସୃଷ୍ଟି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୟରେ ଏମାରମଠ ପରିସର,,କାକୁଡିଖାଇ ମନ୍ଦିର ସମ୍ମୁଖ ଭାଗ ସମେତ ଶ୍ରୀମନ୍ଦିର 75 ମିଟର ଚୌହଦୀ ମଧ୍ୟରେ ବିଳମ୍ବିତ ରାତିରେ ଓବିସିସି ପକ୍ଷରୁ ଗାନ୍ଧୀନଗର ଆଇଆଇଟି ଦ୍ୱାରା କରାଯାଇଥିଲା ଜିପିଆର ସର୍ଭେ। ଲୁଚାଛପା ଭାବେ ବିଳମ୍ବିତ ରାତିରେ ଜିପିଆର ସର୍ଭେ ହେବାରୁ ସେତେବେଳେ ବିଜେଡି ସରକାର ବିରୁଦ୍ଧରେ ସ୍ୱର ମଧ୍ୟ ଶାଣିତ ହୋଇଥିଲା। ହେଲେ 2022 ରୁ ଜିପିଆର ସର୍ଭେ ଶେଷ ହୋଇଥିବା ବେଳେ ଆଜିକୁ ଦୁଇବର୍ଷରୁ ଉର୍ଦ୍ଧ୍ବ ହେବ ସେ ରିପୋର୍ଟ ସାର୍ବଜନୀନ ନ ହେବାରୁ ତତ୍କାଳୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ। ବିଜେପି ସରକାର ତୁରନ୍ତ 2022 ରେ ହୋଇଥିବା ଜିପିଆର ସର୍ଭେ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଅନ୍ୟପଟେ ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ରଙ୍କ ବିଷ୍ପୋରକ ପ୍ରତିକ୍ରିୟା ତତ୍କାଳୀନ ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିଛି। ପରିଚାଳନା କମିଟି ବୈଠକରେ ବାରମ୍ବାର ଏ ପ୍ରସଙ୍ଗ ଉଠାଇବା ପରେ ତତ୍କାଳୀନ ସରକାର ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଖୋଦ୍ କମିଟିର ସଦସ୍ୟ ମାଧବ ମହାପାତ୍ର। ତେଣୁ ଜିପିଆର ରିପୋର୍ଟ ସାର୍ବଜନୀନ ନ କରିବା ପଛରେ ସରକାରଙ୍କ ଉଦେଶ୍ୟ ମନ୍ଦ ବୋଲି କହିଛନ୍ତି ମାଧବ ମହାପାତ୍ର।
ଗୋଟିଏ ପଟେ ଭିତର ରତ୍ନଭଣ୍ଡାରକୁ ଜିପିଆର ସର୍ଭେ କରି ଗୁପ୍ତକୋଠରୀ ଏବଂ ଗୁପ୍ତସୁଡଙ୍ଗ ଉପରୁ ପୂର୍ଣ୍ନଚ୍ଛେଦ ପକାଇବାକୁ ବିଜେପି ସରକାର ଯୋଜନା କରିଥିବା ବେଳେ ଅନ୍ଯପଟେ ପରିକ୍ରମା ପ୍ରକଳ୍ପ ସମୟରେ 2022ରେ ହୋଇଥିବା ଜିପିଆର ସର୍ଭେ ରିପୋର୍ଟ ସାର୍ବଜନୀନ ନ କରିବା ତତ୍କାଳୀନ ସରକାରଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି ।