ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ
ମାଲକାନଗିରି: ବର୍ଷାରେ ବେହାଲ ଗାଁ ଠୁ ସହର । ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍. ଭି-୯୬ ପୋଲ ଉପରେ ୫ ଫୁଟ ର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।
କାଲିମେଳା ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଯୋଗାଯୋଗ ବିଚ୍ଛିନ୍ନ । ଉଭୟକୁଳରେ ଯାନବାହନ ଅଟକି ରହିଥିବା ବେଳେ କୌଣସି ଅଘଟଣ ଯେପରି ନ ଘଟେ ସେଥିପାଇଁ,ଏମ୍.ଭି-୭୯ ପୋଲିସ ମୁତୟନ ହୋଇ ଥିବା ଦେଖିବା ପାଇଁ ମିଳିଛି।
ଅନ୍ୟପକ୍ଷରେ ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାରୁ ଆହୁରି ବଢ଼ିବ ବର୍ଷା ପରିମାଣ । ଫଳରେ ଆହୁରି କଲବଲ ହେବେ ରାଜ୍ୟବାସୀ।
ତେବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହା ଆଗାମୀ ୨ ଦିନ ଯାଏଁ ଓଡିଶା ଏବଂ ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଜାରି ରହିଛି ତୁହାକୁ ତୁହା ବର୍ଷା।




admin 