ପୁରୀରେ ଆରମ୍ଭ ହେଲା ରଥଭଙ୍ଗା କାମ
ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ପରେ ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ରଥ ତ୍ରୟର ଭଙ୍ଗା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ରଥ ଭଙ୍ଗାକାର୍ୟ୍ୟରେ ନିୟୋଜିତ ଅଛନ୍ତି । ତିନି ରଥ ସମ୍ପୂର୍ଣ ଫିଟାଇବା ପାଇଁ ୭ରୁ ୮ ଦିନ ସମୟ ଲାଗିଥାଏ ।
ରଥ ସମ୍ପୂର୍ଣ୍ଣ ଫିଟାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ଖେଇ ବାବଦରେ ରଥର କିଛି ଅଂଶ ମହାରଣା, ରୂପକାର, କମାର ଓ ଭୋଇ ସେବକଙ୍କୁ ପ୍ରଦାନ କରାଯିବ । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି ।