ଯଦି ମୋର କିଛି ଅସୁବିଧା ହୁଏ ତେବେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ:ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ବର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠରେ ହେବାକୁ ଥିବା ସଭାରେ ଯୋଗଦେବାକୁ ଭୁବନେଶ୍ବରରୁ ଯିବି। ମୋର ଯାହା ସୂଚନା ଅଛି ବିଜେଡି କର୍ମୀ ମୋତେ ଅଟକାଇବେ କିମ୍ବା ଆକ୍ରମଣ କରିବେ। ତେଣୁ ମୁଁ ସଭାକୁ ଯିବା ପର୍ୟ୍ୟନ୍ତ ଓଡ଼ିଶା ସରକାରଙ୍କର ଅର୍ଡର ଅଫ୍ ପ୍ରିସିଡେନ୍ସ ଯାହା ଅଛି, ସେ ଅନୁସାରେ ମୁଖ୍ୟ ସଚିବ, ବିଧାନସଭା ସଚିବ ପଦକ୍ଷେପ ନେବା ଦରକାର। ଯଦି ବାଟରେ ମୋର କିଛି ଅସୁବିଧା ହୁଏ ତେବେ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ହିସାବରେ ଦାୟୀ ରହିବେ। ସେଥିପାଇଁ ଡିଜିପି, ମୁଖ୍ୟ ଶାସନ ସଚିବ, ବିଧାନସଭା ସଚିବ, ଖୋର୍ଦ୍ଧା ଏବଂ ଗଞ୍ଜାମ ଏସ୍ପିଙ୍କୁ ଜଣାଇଛି। ବିଧାୟକଙ୍କ ଉପରେ ଆକ୍ରମଣ ମାନେ ଗଣତନ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ। ଆଜି ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏଭଳି କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ବ୍ରହ୍ମପୁରରେ କରିବାକୁ ଥିବା ସଭାରେ ସ୍ଥାନୀୟ ବିଧାୟକ ଭାବେ ଯୋଗଦେବି। ଏହି କାର୍ୟ୍ୟକ୍ରମରୁ ମୋତେ ଦୂରେଇ ରଖିବାକୁ ଗଞ୍ଜାମରେ ବିଜେଡିର ୨ହଜାର ପିଲାଙ୍କୁ ନିୟୋଜିତ କରାଯାଇଛି।
ବିଧାୟକ କହିଛନ୍ତି, ଗତ ଅଗଷ୍ଟ ୧୬ତାରିଖରୁ ୨୩ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ଗୃହ ସଚିବ, ପୁଲିସ ଡିଜି, ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଏକ ଚିଠି ଲେଖିଥିଲେ। ଏହାର ଉତ୍ତର ମିଳିନି। ନିୟମ ଅନୁସାରେ, ବିଧାୟକଙ୍କ ଚିଠିର ତୁରନ୍ତ ଉତ୍ତର ଦେବାକୁ ସରକାରୀ ଅଧିକାରୀ ବାଧ୍ୟ। ହେଲେ ଦେଢ଼ବର୍ଷ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କୁ ଯାହା ଚିଠି ଲେଖିଲେ ବି ଉତ୍ତର ମିଳୁନାହିଁ। ଏପରିକି ୨୦୨୦ ପର୍ୟ୍ୟନ୍ତ ମୁଁ ବିଧାୟକ ପାଣ୍ଠିରେ ଯେଉଁ ଅନୁଦାନ ମାଗୁଥିଲି ତାହା ୧୫ଦିନରେ ମଞ୍ଜୁର ହୋଇଯାଉଥିଲା। ଗତ ତିନି ବର୍ଷ ହେଲା ଟଙ୍କାଟିଏ ଦେଉନାହାନ୍ତି। ଗଞ୍ଜାମର ବାକି ୧୨ବିଧାୟକଙ୍କ ପାଇଁ ଜିଲ୍ଲାପାଳଙ୍କର ଗୋଟିଏ ନିୟମ ଓ ମୋ ପାଇଁ ଗୋଟିଏ ନିୟମ କେମିତି? ବିଜେଡି ମୋତେ ବହିଷ୍କାର କରିଛି। ହେଲେ ମୁଁ ତ ଏବେବି ବିଧାୟକ ଅଛି। ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କର କ’ଣ ଦୋଷ ଯେ ସେମାନଙ୍କ ଉନ୍ନତି ପାଇଁ ଟଙ୍କା ଦିଆଯିବନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।




admin 