ହେଲିକପ୍ଟର୍ ଉଡ଼ିବାରେ ଖର୍ଚ୍ଚ ହୋଇଛି ୪୦ କୋଟି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,: ସଚିବଙ୍କ ଜିଲ୍ଲାଗସ୍ତ ବେଳେ ହେଲିକପ୍ଟର ଉଡ଼ିବାକୁ ନେଇ ବିରୋଧୀ ଦଳ ସମାଲୋଚନା କରିଥିଲେ। ଏଥିରେ କେତେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ
ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି । ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ ।
ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି । ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି । ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।
ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।
ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ
ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ । ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।