ଓଡ଼ିଆ ମାଟି କାନ୍ଦୁଛି ଓଡ଼ିଆ ପୁଅ ପାଇଁ, ଆତଙ୍କୀ ହମଲାରେ ୫ ଯବାନ ସହିଦ

ଓଡ଼ିଆ ମାଟି କାନ୍ଦୁଛି ଓଡ଼ିଆ ପୁଅ ପାଇଁ, ଆତଙ୍କୀ ହମଲାରେ ୫ ଯବାନ ସହିଦ

ସାକ୍ଷୀଗୋପାଳ: ଝୁରୁଛି ପରିବାର ଝୁରୁଛି ମାଟି । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ସାରା ରାଜ୍ୟ ଦୁଃଖ ପ୍ରକାଶ କରିଛି । ଦେଶର ସୁରକ୍ଷାରେ ଓଡ଼ିଆ ପୁଅର ଏହି ବଳିଦାନ ସବୁବେଳେ ସ୍ମରଣୀୟ ରହିବ । ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡରେ ଏକ ସେନା ଗାଡି ଜଳି ଯାଇଥିଲା । ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ ।

ସହିଦ ୫ ଯବାନ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ସଦସ୍ୟ । ସେମାନେ ଅତଙ୍କବାଦୀ ନିହତ ଅଭିଯାନରେ ସାମିଲ ଥିଲେ । ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡିଆ ପୁଅ । ସେ ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଡାୟତସାହିର ଦେବାଶିଷ ବିଶ୍ୱାଳ(୨୮ ବର୍ଷ) ।
ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳଙ୍କ ବଡପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ । ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ୱାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି । ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି । ପରିବାରରେ କାନ୍ଦବୋବାଳି ପଡିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି ।