ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର ‌କୋରିଆ ସମୁଦ୍ର ମଧ୍ୟକୁ

ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର ‌କୋରିଆ ସମୁଦ୍ର ମଧ୍ୟକୁ

ଟୋକିଓ: ଆଜି ଉତ୍ତର କୋରିଆ ଗୋଟାଏ ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ‘ଏକ୍ସ’ କରି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଆଜି ଉତ୍ତର କୋରିଆ ନିକ୍ଷେପ କରିଥିବା ‌କ୍ଷେପଣାସ୍ତ୍ର ବିଷୟରେ ଦକ୍ଷିଣ କୋରିଆ ସେନା ବି ସୁନିଶ୍ଚିତ କରିଛି। ଦକ୍ଷିଣ କୋରିଆ ସେନା କହିଛି ଯେ, ପୂର୍ବ ସାଗର ମଧ୍ୟକୁ ଉତ୍ତର କୋରିଆ ଅନ୍ୟୂନ ଗୋଟିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଏହି କ୍ଷେପଣାସ୍ତ୍ରର ଗତି ବିଷୟରେ ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍ସ୍‌ ଅଫ୍‌ ଷ୍ଟାଫ୍‌’ ତୁରନ୍ତ ସବିଶେଷ ବିବରଣୀ ଦେଇ ପାରି ନାହାନ୍ତି। ମାତ୍ର, କ୍ଷେପଣାସ୍ତ୍ରଟି ସମୁଦ୍ରରେ ପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ଅସ୍ତ୍ରଶସ୍ତ୍ର ବିଷୟରେ ଆଲୋଚନା କରିବା ଲାଗି ନିଜସ୍ବ ଟ୍ରେନ୍‌ରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ରୁଷ୍‌ ଗସ୍ତରେ  ଯାଇଥିଲେ ବି ଆଜି ତାଙ୍କ ଦେଶ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ତେଣେ, ପାଶ୍ଚାତ୍ୟ ରାଷ୍ଟ୍ର ଚିନ୍ତିତ ଯେ, ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ସବୁ ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର ପାଇଁ ରୁଷ୍‌କୁ ଦେବା ପାଇଁ ଉତ୍ତର କୋରିଆ ରାଜିନାମା ସ୍ବାକ୍ଷର କରିପାରେ। ଆଣବିକ ଅସ୍ତ୍ରବିଦ୍ୟାରେ ରୁଷ୍‌ର ନିପୁଣତା ସମେତ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ରାଜିନାମା ସହିତ କିମ୍‌ ରୁଷ୍‌ ସହ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରାଜିନାମା କରିପାରନ୍ତି।