ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ ପ୍ରଧାନମନ୍ତ୍ରୀ

ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରଯାନ-୩ର କାର୍ୟ୍ୟକଳାପ ଉପରେ ଇସ୍ରୋର ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ। ସେ ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗରେ ଅଛନ୍ତି।ଏହା ସହିତ ଚନ୍ଦ୍ରଯାନ-୩ ଚନ୍ଦ୍ରର ନୂଆ ଫଟୋ ପଠାଇଛି। ଇସ୍ରୋ ଏହି ଫଟୋକୁ ସେୟାର କରିଛି। ଚନ୍ଦ୍ରଠାରୁ ୭୦ କିମି ଦୂରରେ ଥିବା ସମୟରେ ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା (ଏଲ୍ପିଡିସି) ଏହି ଫଟୋ ଉଠାଇ ଥିଲା। ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ମହାକାଶଚାରୀ ସୁନିତା ୱିଲିୟମ୍ସ ମଧ୍ୟ ଚନ୍ଦ୍ରଯାନ-୩ର ସଫଳତାକୁ ଚାହିଁ ବସିଛନ୍ତି। ସେ ଏହି ମୂହୁର୍ତ୍ତକୁ ଉତ୍ସୁକତାର ସହ ଚାହିଁ ରହିଥିବା କହିଛନ୍ତି। ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରକୁ ୧୫ରୁ ୧୭ ମିନିଟ ଲାଗିବ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ଅବଧିକୁ ‘୧୫ ମିନିଟ୍ସ ଅଫ୍ ଟେରର (ଭୟର ୧୫ ମିନିଟ)’ କୁହାଯାଇଥାଏ। ଅବତରଣର ୨ ଘଣ୍ଟା ପୂର୍ବରୁ ଲ୍ୟାଣ୍ଡର ସବୁ କିଛି ଯାଞ୍ଚ କରିବ। ମଡ୍ୟୁଲ ଏବଂ ଚନ୍ଦ୍ରମାର ସ୍ଥିତିକୁ ଦେଖି ଅବତରଣ କରିବ କି ନାହିଁ ବୋଲି ସ୍ଥିର କରିବ। ଯଦି ସବୁ କିଛି ଠିକ୍ ନ ରୁହେ ତେବେ ଅଗଷ୍ଟ ୨୭ରେ ପୁଣିଥରେ ଅବତରଣ କରାଯିବ। ଶେଷ ଥର ପାଇଁ ରବିବାର ରାତି ୧ଟା ୫୦ ମିନିଟରେ ଚନ୍ଦ୍ରଯାନର କକ୍ଷ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ ଚନ୍ଦ୍ରଯାନ ଚନ୍ଦ୍ରଠାରୁ ସର୍ବନିମ୍ନ ୨୫ ଏବଂ ସର୍ବାଧିକ ୧୩୪ କିମି ଦୂରରେ ଥିଲା।