ନନ୍ଦନକାନନ ହେବ ବିଶ୍ୱସ୍ତରୀୟ, ଅନୁମୋଦନ ହେଲା ବିଲ

ନନ୍ଦନକାନନ ହେବ ବିଶ୍ୱସ୍ତରୀୟ, ଅନୁମୋଦନ ହେଲା ବିଲ

ଭୁବନେଶ୍ୱର: ଜାତୀୟସ୍ତରୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ହେବ ଅଧିକ ବିସ୍ତାରିତ, ଆକର୍ଷଣୀୟ ଓ ବିଶ୍ୱସ୍ତରୀୟ । ଏହାର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ । ପର୍ୟ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା, ଆଧୁନିକ ଫ୍ରଣ୍ଟେଜ ଓ ଲ୍ୟାଣ୍ଡସ୍କେପିଂ ସାଙ୍ଗକୁ ଟନେଲ ଆକ୍ୱାରିୟମ, ୱାଟର ବାର୍ଡ ଆଭିଆରୀ ସହିତ ଦେଶ ବିଦେଶରୁ ନୂତନ ପ୍ରାଣୀଙ୍କୁ ଅଣାଯିବ । ଖାଲି ସେତିକି ନୁହେଁ, ପିଲାମାନଙ୍କ ପାଇଁ ପ୍ରକୃତି ଶିକ୍ଷାର ଏକ ସ୍ୱତନ୍ତ୍ର ହବ୍‌ ଭାବରେ ପରିଗଣିତ ହେବ ନନ୍ଦନକାନନ। ଏଥିରେ ଚୁଡ଼ଙ୍ଗଗଡ଼ ଜଙ୍ଗଲକୁ ସାମିଲ କରାଯିବ । ଏଭଳି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି ଉପକ୍ରମରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ରୂପାନ୍ତର କରାଯିବ ।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ ଉପସ୍ଥାପନା ରଖାଯାଇଥିଲା । ଏଥିରେ ନନ୍ଦନକାନନର କାୟାରେ ପରିବର୍ତ୍ତନ ପାଇଁ ଏକ ବିସ୍ତୃତ ଓ ଭବିଷ୍ୟମୁଖୀ ପ୍ରସ୍ତାବ ରଖାଯାଇଥିଲା । ଏ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହିତ ନନ୍ଦନକାନନରେ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।