ଲଢ଼ୁଆ ବିମାନ ଉଡ଼ିବା ଉପରେ ଲାଗିଲା କଟକଣା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ମିଗ୍-୨୧ ଲଢୁଆ ବିମାନର ଉଡ଼ାଣରେ କଟକଣା ଲଗାଇ ଦେଇଛି। ଗତ ୮ ତାରିଖରେ ରାଜସ୍ଥାନ ହନୁମାନଗଡ଼ରେ ହୋଇଥିବା ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଦୁର୍ଘଟଣାରେ ୩ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ଯାଞ୍ଚ ସମ୍ପୂର୍ଣ୍ଣ ନ ହେବା ପର୍ୟ୍ୟନ୍ତ ମିଗ୍-୨୧ ବିମାନ ଉଡ଼ାଣ କରିବ ନାହିଁ।
ଏବେ ବାୟୁସେନାରେ ମିଗ୍-୨୧ ବିମାନର ୩ଟି ସ୍କ୍ବାଡ୍ରନ ରହିଛି। ପ୍ରତି ସ୍କ୍ବାଡ୍ରନରେ ୧୬ରୁ ୧୮ ଲଢୁଆ ବିମାନ ରହିଥାଏ। ଏହି ହିସାବରେ ଏବେ ପ୍ରାୟ ୫୦ ବିମାନ ସେବାରେ ଅଛି। ୨୦୨୫ ସୁଦ୍ଧା ଏହି ବିମାନକୁ ସେବାମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାୟୁସେନା ପାଖରେ ମୋଟ ୩୧ କମ୍ବାଟ ସ୍କ୍ବାଡ୍ରନ ରହିଛି। ମିଗ୍-୨୧ ଏକକ ଇଞ୍ଜିନ ଏବଂ ସିଟ୍ ବିଶିଷ୍ଟ ଏକ ବହୁମୁଖୀ ଯୁଦ୍ଧ ବିମାନ। ଏହାକୁ ଇଣ୍ଟରସେପ୍ଟର ଏୟାରକ୍ରାଫ୍ଟ ଭାବେ ୧୯୬୩ ବାୟୁସେନାରେ ସାମିଲ କରାଯାଇଥିଲା। କିଛି ବର୍ଷ ପରେ ଏହାର ଆକ୍ରମଣ କ୍ଷମତା ବୃଦ୍ଧି କରାଯାଇଥିଲା।
ହି ବିମାନ ବାରମ୍ବାର ଦୁର୍ଘଟଣାର ଶିକାର ହେଉଥିଲା। ସେଥିପାଇଁ ଏହାକୁ ଉଡ଼ନ୍ତା କଫିନ କୁହାଯାଉଥିଲା। କେବଳ ଗତ ୧୬ ମାସରେ ମିଗ୍-୨୧ ବିମାନ ୭ ଥର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ସୁରକ୍ଷା ରେକର୍ଡ ବହୁତ ଖରାପ। ତେଣୁ ବାୟୁସେନା ଏସ୍ୟୁ-୩୦ ଏବଂ ସ୍ବଦେଶୀ ହାଲୁକା ଲଢୁଆ ବିମାନ (ଏଲସିଏ) ଦ୍ବାରା ଏହାକୁ ବଦଳା ଯାଉଛି। ଏଥିରେ ବିଳମ୍ବ ହେବାରୁ ମିଗ୍ ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ରହିଛି।




admin 