ମାଆ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି

ମାଆ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି

ଭବାନିପାଟଣା: ଆଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ପାଳନ କରାଯାଉଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ । 

କଳାହାଣ୍ଡି ଜିଲ୍ଲାରେ ନୂଆଁଖାଇକୁ ନେଇ ରହିଛି ସ୍ୱତନ୍ତ୍ର ପରମ୍ପରା । ପଶ୍ଚିମ ଓଡ଼ିଶାର ସମସ୍ତ ଅଞ୍ଚଳରେ ପଞ୍ଚମୀ ତିଥିରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ହେଉଥିବା ବେଳେ ଏଠାରେ କିନ୍ତୁ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏଠାରେ ପର୍ୟ୍ୟାୟକ୍ରମେ ପାଳନ ହୋଇଥାଏ ନୂଆଁଖାଇ । ପ୍ରତିପଦଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ୟ୍ୟନ୍ତ ଚାଲିଥାଏ ନୂଆଁଖାଇ ପର୍ବ ପାଳନ । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ଳପକ୍ଷ ଦଶମୀ ତିଥିରେ ମଧ୍ୟ କଳାହାଣ୍ଡି ଗଡଜାତ ଅଞ୍ଚଳରେ ପାଳନ ହୋଇଛି ଭାଇଚାରାର ପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ଆଜି ପାଳିତ ହେଉଛି ଏହି ଗଣପର୍ବ । ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇ ଆରମ୍ଭ ହୋଇଥାଏ ନୂଆଁଖାଇ ପାଳନ । 
ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଶୁକ୍ଳପକ୍ଷ ଦଶମୀ ତିଥି ୮ ଘଣ୍ଟା ୫୦ ମିନିଟରେ ବିଧି ବିଧାନ ଅନୁଯାୟୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ବିଧି ବିଧାନ ଅନୁଯାୟୀ ମା’ଙ୍କ ନିକଟରେ ନବାନ୍ନ ଲାଗିପରେ ସକାଳ ୯ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।