ଶ୍ରବଣ ଶକ୍ତି ନେଲା ନିବିଡ଼ ଚୁମ୍ବନ

ଶ୍ରବଣ ଶକ୍ତି ନେଲା ନିବିଡ଼ ଚୁମ୍ବନ

ଦୀର୍ଘ ସମୟ ଧରି ନିବିଡ଼ ଚୁମ୍ବନ ବିପଦପୂର୍ଣ୍ଣ ହୋଇପାରେ। ଗତ ୨୨ ତାରିଖରେ ଚୀନ ଭାଲେଣ୍ଟାଇନ୍‌ସ ଡେ’ ପାଳନ ଅବସରରେ ଚୀନ୍‌ର ପୂର୍ବ ଝେଜିଆଙ୍ଗ୍‌ ପ୍ରଦେଶ ଅନ୍ତର୍ଗତ ଏକ ହ୍ରଦ କୂଳରେ ଏକ ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେଉଥିଲେ। କିଛି ସମୟ ପରେ ଯୁବକ ଜଣକ ତାଙ୍କ କାନ ଭିତରେ ପାଣିଫୋଟକା ପରି ଶବ୍ଦ ଶୁଣିଥିଲେ ଏବଂ ଅସହ୍ୟ କଷ୍ଟ ଅନୁଭବ କରିଥିଲେ। ତାହା ପରେ ତାଙ୍କୁ ଆଉ କିଛି ଶୁଣାଯାଇନଥିଲା। ତେଣୁ ସେମାନେ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟରେ ପହଞ୍ଚିଥିଲେ।

ପରୀକ୍ଷା ନିରୀକ୍ଷା ପରେ ତାଙ୍କ କାନର ପରଦା ଫାଟିଯାଇଥିବା ଜଣାପଡ଼ିଥିଲା। ତାଙ୍କ କାନର ପରଦା ଭଲ ହୋଇ ଶ୍ରବଣ ଶକ୍ତି ଫେରିବା ପାଇଁ ଦୁଇ ମାସ ସମୟ ଲାଗିବ। ଡାକ୍ତରଙ୍କ କହିବା କଥା, ଏପରି ଆବେଗପୂର୍ଣ୍ଣ ଦୀର୍ଘ ଚୁମ୍ବନ ଏକ ପ୍ରକାର ଶକ୍ତିଶାଳୀ ଚାପ ସୃଷ୍ଟି କରିଥାଏ ଯାହା କାନ ପରଦାକୁ ଟାଣିନେଇପାରେ। ପ୍ରବଳ ନିଃଶ୍ବାସ ସାଙ୍ଗକୁ ବାୟୁ ଚାପରେ ଦ୍ରୁତ ପରିବର୍ତ୍ତନ ପରଦାରେ ଛିଦ୍ର ସୃଷ୍ଟି କରିବା ସହ ତାହାକୁ ଫଟାଇ ଦେଇଥାଏ। ଚୀନ ଯୁବକଙ୍କ ଏହି ଅଭିଜ୍ଞତା ପ୍ରେମାନ୍ଧମାନଙ୍କୁ ଦୀର୍ଘକାଳୀନ ଚୁମ୍ବନରୁ ନିବୃତ୍ତ ରହିବା ପାଇଁ ଏକପ୍ରକାର ଚେତାବନୀ ଦେଇଛି।