ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ମତଦାନ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡ଼ା:  ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ। ଗୁଜୁରାଟୀ କଲୋନିର ବୁଥରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାଯାଇଛି। ତାଙ୍କ ସହ ପତ୍ନୀ ମଧ୍ୟ ସେଠାରେ ଭୋଟ୍ ଦାନ କରିଛନ୍ତି। ଏଣେ  ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ଏକ ମତଦାନ କେନ୍ଦ୍ରରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମତଦାନ କରିଥିବା ଜଣାଯାଇଛି।  ଆଜି ସକାଳ ୯ଟା ସୁଦ୍ଧା ଝାରସୁଗୁଡ଼ାରେ ୯.୭୫ ପ୍ରତିଶତ ମତଦାନ ହୋଇଛି।

୨୫୩ ବୁଥ୍‌ରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ଉପନିର୍ବାଚନ ପାଇଁ ୨୬ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ପିଙ୍କ୍ ବୁଥଗୁଡ଼ିକରେ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୧୨ ପୁଲିଂ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୯୬ ପୁଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି। ୧୧୬ ସମ୍ବେଦନଶୀଳ ବୁଥ ଥିବାବେଳେ ସମସ୍ତ ବୁଥରେ ୱେବକାଷ୍ଟିଂ ହୋଇଛି।

ଏହି ଉପନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର ସେମାନଙ୍କ ବହୁମୂଲ୍ୟ ମତାଧିକାର ସାବ୍ୟସ୍ତ କରିବେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଏଥିରୁ ୨ ହଜାର ୫୩୪ ଭିନ୍ନକ୍ଷମ ଏବଂ ୨୪୯ ଚାକିରିଆ ଭୋଟର ଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୮୧୪ ପୁଲିସ ଏବଂ ୭ ପ୍ଲାଟୁନ୍‌ କେନ୍ଦ୍ରୀୟ ପୁଲିସ ଫୋର୍ସ (ସିଆରପିଏଫ)ଙ୍କୁ ନିୟୋଜିତ କରାଯାଇଛି।