ଷ୍ଟାର ପ୍ରଚାରକ ନାମ ଘୋଷଣା କଲା ବିଜେଡ଼ି
ଭୁବନେଶ୍ୱର: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମନ୍ତ୍ରୀ, ବିଧାୟକ ରହିଛନ୍ତି । ତେବେ ତାଲିକାରେ ସାଂସଦ ଅନୁଭବ ମହାନ୍ତିଙ୍କ ନାଁ ସାମିଲ ନାହିଁ । ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଓଲିଉଡ ଷ୍ଟାର୍ ତଥା ସାଂସଦ ଅନୁଭବ ମହାନ୍ତି ବାଦ୍ ପଡିଛନ୍ତି ।
ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ଅରୁଣ ସାହୁ ଓ ପ୍ରତାପ ଜେନା ରହିଛନ୍ତି ।
ସେହିଭଳି ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ପ୍ରଶାନ୍ତ ମୁଦୁଲି, ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ରୀତା ସାହୁ, ଅଳକା ମହାନ୍ତି, ଚନ୍ଦ୍ରସାରଥୀ ବେହେରା, ବ୍ରଜକିଶୋର ପ୍ରଧାନ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିକ୍ରମ କୁମାର ପଣ୍ଡା, ନଳିନୀ କାନ୍ତ ପ୍ରଧାନ, ସରୋଜ ମେହେର ମଧ୍ୟ ତାଲିକାରେ ଅଛନ୍ତି । ତେବେ ଏଥର ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ ନାହାଁନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଷ୍ଟାର୍ ଅନୁଭବ ମହାନ୍ତି । ଝାରସୁଗୁଡା ଉପନିର୍ବାଚନ ପ୍ରଚାରରେ ଅନୁଭବଙ୍କୁ ଦେଖିବାକୁ ମିଳିବନି । ପାରିବାରିକ କଳହରେ ଛନ୍ଦି ହେବା ଯୋଗୁଁ ତାଙ୍କୁ ଷ୍ଟାର୍ ପ୍ରଚାରକ ତାଲିକାରୁ କାଢିଦିଆଯାଇଥିବା ଅନୁମାନ କରାଯାଉଛି । ବ୍ୟକ୍ତିଗତ ଜୀବନରେ ସମସ୍ୟା ଯୋଗୁଁ ଅନୁଭବ ନିଜ ରାଜନୈତିକ କ୍ୟାରିୟରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ନଜର ଆସୁଛି ।