ହଟଷ୍ଟାରରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଦେଖିଛନ୍ତି ୫.୩କୋଟି ଲୋକ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୋଟିଏ ପଟେ ବିରାଟ କୋହଲି ଓ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରି ରେକର୍ଡ ପରେ ରେକର୍ଡ ନିଜ ନାଁରେ କରିଛନ୍ତି। ଅନ୍ୟପଟେ ୧୦ଦିନ ମଧ୍ୟରେ ଡିଜନି ହଟଷ୍ଟାର ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କେବଳ ଏତିକି ନୁହେଁ ବିରାଟ, ଶ୍ରେୟାସ ଆୟର ଯେପରି ପଡିଆରେ ଛକା ଓ ଚଉକାର ବର୍ଷା କରୁଥିଲେ ସେହିପରି ଡିଜନି ହଟଷ୍ଟାରରେ ମଧ୍ୟ ଟଙ୍କାର ବର୍ଷା ହୋଇଛି। ଏହି ମ୍ୟାଚରେ ହୋଇଥିବା ରେକର୍ଡ ଯୋଗୁ ଡିଜନି ହଟଷ୍ଟାର ୪୧ହଜାର କୋଟି ଟଙ୍କା ରୋଜଗାର କରିଛି।
ଡିଜନିର ଭିଡିଓ ଷ୍ଟ୍ରିମିଂ ସର୍ଭିସ ଡିଜନି+ହଟଷ୍ଟାର ନଭେମ୍ବର ୧୫ରେ ଗ୍ଲୋବାଲ ଲାଇଭ ଷ୍ଟ୍ରିମିଂ ଭ୍ୟୁୟର୍ସସିପ ରେକର୍ଡ ସୃଷ୍ଟି କରିଛି। ସେହିପରି ୧୦ଦିନ ପୂର୍ବରୁ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ହଟଷ୍ଟାର ଏହିଭଳି ରେକର୍ଡ କରିଥିଲା। ତେବେ ସବୁଠୁ କୌତୁହଳ ବିଶୟ ଏହି ଯେ, ଦୁଇଟି ଯାକ ମ୍ୟାଚରେ ବିରାଟ କୋହଲି ଶତକ ହାସଲ କରିଛନ୍ତି।
୫୩ମିଲିୟନ ଅର୍ଥାତ୍ ୫.୩କୋଟି ଲୋକ ଗତକାଲି ଅର୍ଥାତ ବୁଧବାରର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ହଟଷ୍ଟାରରେ ଦେଖିଛନ୍ତି। ଏହାପୂର୍ବରୁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ୪.୪କୋଟି ଲୋକ ଦେଖିଥିଲେ। ତେବେ ଏପରି ଭ୍ୟୁୟର୍ସସିପ ଯୋଗୁ ବୁଧବାର ହଟଷ୍ଟାରର ଶେୟାର ୩ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।