ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ରେ ଫସିଥିଲେ ୩ ଓଡ଼ିଆ

ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ରେ ଫସିଥିଲେ ୩ ଓଡ଼ିଆ

ଭୁବନେଶ୍ବର: ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଘଟଣାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଗିରଫ ହୋଇଥିବା ତିନି ଅଭିଯୁକ୍ତ ହନିଟ୍ରାପ୍‌ରେ ଫସିଥିଲେ। ପାକିସ୍ତାନୀ ଯୁବତୀଙ୍କ ମାୟାଜାଲରେ ପଡ଼ି ସବୁ ସର୍ତରେ ରାଜି ହୋଇଯାଇଥିଲେ। ତଥ୍ୟ ହାତେଇବା ପାଇଁ ସେମାନେ ଯେଭଳି ଗୋଟି ଚଳାଇଥିଲେ ଯୁବକମାନେ ସେମିତି ସହଯୋଗ କରିଥିଲେ। ତେବେ ସେମାନେ ପାକିସ୍ତାନୀ ଏଜେଣ୍ଟଙ୍କ ସହ କେବଳ ସୋସିଆଲ୍‌ ମିଡିଆରେ ସମ୍ପର୍କରେ ଥିଲେ ନା ସେମାନଙ୍କୁ ଭେଟୁଥିଲେ? ଯଦି ସେମାନଙ୍କୁ ଭେଟୁଥିଲେ, କେଉଁଠି କେଉଁଠି ଭେଟିଥିଲେ? କେବେ ଓଡ଼ିଶା ଡକାଇଥିଲେ କି? ଯଦି ଓଡ଼ିଶା ଆସିଲେ, କେଉଁଠି ରହୁଥିଲେ? ଏସବୁ ଦିଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତନାଘନା ଆରମ୍ଭ କରିଛି।

ଏହା ଭିତରେ ଗିରଫ ତିନି ଅଭିଯୁକ୍ତଙ୍କର ପାସ୍‌ପୋର୍ଟ ‌ଭେରିଫିକେସନ୍‌ ମଧ୍ୟ କରାଯାଉଛି। ଗତ ବର୍ଷକ ମଧ୍ୟରେ ସେମାନେ କେଉଁ କେଉଁ ସ୍ଥାନକୁ ଯାଇଥିଲେ? ଲୋକେସନ୍‌ ଯାଞ୍ଚ ବି କରାଯାଉଛି। ହ୍ବାଟସ୍‌ଆପ୍‌ ଠାରୁ ଆରମ୍ଭ କରି ଟେଲିଗ୍ରାମ, ଇନ୍‌ଷ୍ଟା, ଫେସ୍‌ବୁକ ଭଳି ସେମାନେ ବ୍ୟବହାର କରିଥିବା ସମସ୍ତ ସୋସିଆଲ୍‌ ମିଡିଆର ତଥ୍ୟ ଯାଞ୍ଚ କରାଯାଉଛି। ସେମାନେ କ’ଣ ‌ମେସେଜ୍‌ କରିଥିଲେ? କେଉଁଠୁ କେଉଁଠୁ ସେମାନଙ୍କୁ ମେସେଜ୍ ବା କଲ୍‌ ଆସିଥିଲା? କ’ଣ କଥା ‌ହୋଇଥିଲେ? ଏଥିପାଇଁ ସମସ୍ତ ସୋସିଆଲ୍‌ ମିଡିଆ ମୁଖ୍ୟ କାର୍ୟ୍ୟାଳୟକୁ ଏସ୍‌ଟିଏଫ୍‌ ତଥ୍ୟ ମାଗିଛି। ସେହିପରି ଫ୍ଲିପ୍‌କାର୍ଟ, ଆମାଜନ୍‌ ଭଳି ଅନ୍‌ଲାଇନ୍‌ ସପିଂ ସଂସ୍ଥାରୁ ବହୁ ଜିନିଷ ଆତଙ୍କବାଦୀଙ୍କୁ ପଠାଯାଇଥିଲା। ତେଣୁ ସେମାନେ କେଉଁ ଠିକଣାରେ ଜିନିଷ ପଠାଉଥିଲେ? ତାର ମଧ୍ୟ ଖୋଳତାଡ଼ ହେଉଛି। କେବଳ ଏତିକି ନୁହେଁ, ତିନିଜଣଙ୍କଠାରୁ ମିଳିଥିବା ମୋବାଇଲ୍‌ ଏବଂ ବିପୁଳ ପରିମାଣ ସିମ୍‌ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି। ଯେହେତୁ ସେମାନେ ଅନେକ ତଥ୍ୟ ଡିଲିଟ୍‌ କରିଦେଇଛନ୍ତି, ତେଣୁ ଏହାର ଯାଞ୍ଚ ପାଇଁ ଜବତ ହୋଇଥିବା ଲ୍ୟାପ୍‌ଟପ ଓ ମୋବାଇଲ୍‌ ଗୁଡ଼ିକୁ ଖୁବ୍‌ ଶୀଘ୍ର ରାଜ୍ୟ ଫରେନ୍‌ସିକ୍‌ ଲ୍ୟାବକୁ ପଠାଯିବ।