ହେଲମେଟ ପାଇଁ କଠୋର ହେଲା ନିୟମ, ଜାଣି ରଖନ୍ତୁ
କଟକ: ହେଲମେଟ୍ ନପିନ୍ଧି ଗାଡ଼ି ଚଳାଉଥିବା ବ୍ୟକ୍ତିବିଶେଷ ଆଉ ଖସିପାରିବେ ନାହିଁ । କେବଳ ଟ୍ରାଫିକ୍ ପୁଲିସ ନୁହେଁ, ଜନସାଧାରଣ ବି ଏଭଳି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ସାବାଡ୍ କରିପାରିବେ । ଯଦି କୌଣସି ଗାଡ଼ିଚାଳକ ହେଲ୍ମେଟ୍ ନ ପିନ୍ଧି ଯାଉଥିବେ, ତା’ର ଫଟୋ ଅବା ଭିଡିଓ ଉତ୍ତୋଳନ କରି ଯେକୌଣସି ବ୍ୟକ୍ତି ‘ସିଟିଜେନ୍ ସେଣ୍ଟିନେଲ୍ସ୍’ ନାମକ ପୋର୍ଟାଲରେ ଅପ୍ଲୋଡ୍ କରିପାରିବେ। କିନ୍ତୁ ଫଟୋ ଉଠାଇବା ବେଳେ ଗାଡ଼ିର ନମ୍ବର ସ୍ପଷ୍ଟ ଦିଶୁଥିବା ଜରୁରି । ଏହି ଫଟୋ ଆଧାରରେ ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ଗାଡ଼ି ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଅନ୍ୟାନ୍ୟ ଟ୍ରାଫିକ୍ ଉଲ୍ଲଂଘନ ଅର୍ଥାତ୍ ତିନିଜଣିଆ ଡ୍ରାଇଭିଂ, ଦ୍ରୁତଗତିରେ ଗାଡ଼ି ଚାଳନା,ବିନା ସିଟ୍ ବେଲ୍ଟରେ କାର୍ ଚାଳନା ଆଦି ଘଟଣାକୁ ମଧ୍ୟ ଏଥିରେ ଯୋଡ଼ାଯିବ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି ।
ଏମିତିକି ପିଲିଅନ୍ ଆରୋହୀ ବା ଗାଡ଼ି ପଛରେ ବସୁଥିବା ଲୋକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ସହରରେ ବି ବହୁତ୍ କମ୍ ପିଲିଅନ୍ ଆରୋହୀ ହେଲ୍ମେଟ୍ ପିନ୍ଧୁଛନ୍ତି । ଫଳରେ ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଥିବା ଚାଳକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ତେଣୁ ନୂଆ ବ୍ୟବସ୍ଥାରେ ଜନସାଧାରଣ ହାତରେ କାର୍ୟ୍ୟାନୁଷ୍ଠାନ କ୍ଷମତା ଦିଆଯାଉଛି ।




admin 