୬ ସୁଦ୍ଧା ଘୂର୍ଣ୍ଣିବଳୟ !
ଭୁବନେଶ୍ୱର : ଓଡିଶାକୁ ଘାରିଛି ବାତ୍ୟା ଭୟ । ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ତେବେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି । ତେବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ଏବେଠୁ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଜି ଏନେଇ ପ୍ରେସମିଟ୍ କରିବା ସହିତ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ କଣ କଣ ପ୍ରସ୍ତୁତି କରିଛନ୍ତି ସେ ନେଇ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସମୀକ୍ଷା କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସାଧାରଣତଃ ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ କିମ୍ବା ମେ ମାସରେ ଆସିଥାଏ । ଯାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ । ତେବେ ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏଥିପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହି ଲଘୁଚାପ ସମ୍ପର୍କରେ ଟିକନିକ୍ ଖବର ରଖିବା ପାଇଁ ଗତକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସେବା ଆରମ୍ଭ ହୋଇଛି । ୨୪ ଘଣ୍ଟା ଅଫିସରମାନେ ଏହି କଣ୍ଟୋଲ ରୁମରେ ରହିବା ସହିତ ପ୍ରତିଟି ସୂଚନା ରଖିବେ । ତା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକସ୍ଥଳରେ ସ୍କୁଲ ଗୃହକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ସେପଟେ ପ୍ରତି ବିଭାଗ ନିଜର ପ୍ରସ୍ତୁତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଜରୁରୀକାଳୀନ ସ୍ଥିତି ପାଇଁ କଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେଇଛନ୍ତି । କୌଣସି ଅସୁବିଧା ରହିଲେ ଏସଆରସିଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ଅପିଲ କରାଯାଇଛି । ବାତ୍ୟାକୁ କିଭଳି ସଠିକ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ବୈଠକ ହୋଇଥିଲା । ବାତ୍ୟାକୁ ପୂର୍ବରୁ ଯେପରି ମୁକାବିଲା କରିଛୁ, ଏଥର ବାତ୍ୟା ହେଲେ ବି, ସେମିତି ମୁକାବିଲା କରିବୁ ବୋଲି ଏସଆରସି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।




admin 