ଏଥର ବୈଜୟନ୍ତ- ଅଂଶୁମାନ୍‌ ମୁକାବିଲା

ଏଥର ବୈଜୟନ୍ତ- ଅଂଶୁମାନ୍‌ ମୁକାବିଲା

କେନ୍ଦ୍ରାପଡ଼ା: ଆସନ୍ତା ଜୁନ୍‌ ୧ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ସାଧାରଣ ନିର୍ବାଚନ ହେବ ।  ୭ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଓ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ଭାଜପାର ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡି ଏହାର ଜବାବ୍‌ରେ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବୁଧବାର ପ୍ରାର୍ଥୀ ଭାବେ ଘୋଷଣା କରିଛି । ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ମଧ୍ୟରୁ ୨ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ଏଥିରେ ପଛରେ ପଡ଼ିଛି।
ପୂର୍ବତନ ଏମ୍‌ପି ବୈଜୟନ୍ତ ୨୦୦୯ ଓ ୨୦୧୪ରେ ଏହି ସଂସଦୀୟ କ୍ଷେତ୍ରରୁ ବିଜେଡି ଟିକେଟରେ ଜିତିଥିଲେ । ମାତ୍ର ୨୦୧୯ରେ ଭାଜପାରୁ ସେ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ହାରିଥିଲେ ।  ଅପରପକ୍ଷେ ନିର୍ବାଚନରେ ପରାଜୟ ସତ୍ତ୍ୱେ ଜିଲାରେ ଦଳୀୟ ସଂଗଠନକୁ ନିଜ ହାତମୁଠାରେ ରଖିଛନ୍ତି । ଜିଲାରୁ ପଞ୍ଚାୟତସ୍ତରର କର୍ମକର୍ତ୍ତା ବୈଜୟନ୍ତଙ୍କ ନିୟନ୍ତ୍ରଣରେ ଅଛି। ମାତ୍ର ବିଭିନ୍ନ ବିଧାନସଭା କ୍ଷେତ୍ରରେ ବିଧାୟକ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ବିଦ୍ରୋହର ସମ୍ମୁଖୀନ ହେବା ଆଲୋଚନା ଆରମ୍ଭ ହୋଇଛି।ଏପରି କି ଦଳରେ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ଯୋଗ ଦେଇ ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ସରିଛି ା ବିଜୟଙ୍କ ଜିଲାରେ ଏକ ବଡ଼ ଧରଣର ନିଜସ୍ବ ସଂଗଠନ ଅଛି। ଏହି ସଂଗଠନ ଏବେ କାହାକୁ ସମର୍ଥନ ଦେବ, ତାହାର ତର୍ଜମା ହେଉଛି।  ବିଜେଡି ପ୍ରାର୍ଥୀ ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ସାଥୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ପୁଅ। ନଳିନୀକାନ୍ତ ଜନତା ଦଳରେ ରହି ନିର୍ବାଚନ ଜିଣିବା ସହିତ ମନ୍ତ୍ରୀ ପଦ ପାଇଥିଲେ। ମାତ୍ର ଶେଷ ସମୟରେ କଂଗ୍ରେସକୁ ଯାଇ ନିର୍ବାଚନ ଲଢ଼ିଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ ଅଂଶୁମାନ। କଂଗ୍ରେସରୁ ରାଜନଗର ବିଧାନସଭା ଆସନ ପାଇଁ ୨୦୧୪ରେ ଲଢ଼ି ବିଜୟୀ ହୋଇଥିଲେ। ତେବେ ୨୦୧୯ରେ ବିଜେଡି ପ୍ରାର୍ଥୀ ଧୃବ ସାହୁ ତାଙ୍କୁ ପରାଜିତ କରିଥିଲେ। ଅଂଶୁମାନ କଂଗ୍ରେସରେ ଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ଼ ପାଇଁ ଜିଲା ସଭାପତି ଭାବେ କାର୍ୟ୍ୟ କରିଛନ୍ତି। ଏଥିସହିତ ବିଗତ ୧୦ ବର୍ଷରେ ତାଙ୍କର ଅନୁଗତଙ୍କ ସଂଖ୍ୟା ବହୁ ଅଧିକ। ବିଜେଡିରେ ଗତ ଦୁଇ ସପ୍ତାହ ପୂର୍ବେ ଯୋଗ ଦେଇ ଦଳୀୟ ସଂଗଠନକୁ ଆଗକୁ ନେଉଛନ୍ତି।ଏହାର ପ୍ରଭାବ ଆସନ୍ତା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ। ରାଜନିତୀରେ ଧୂରୀଣ ଏହି ଦୁଇ ନେତାଙ୍କ ମଧ୍ୟରେ ବଡ଼ ଧରଣର ରାଜନୈତିକ ମୁକାବିଲା ଏଥର ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଜିଲାରେ ଆଲୋଚନା ଆରମ୍ଭ ହୋଇଛି।