ନିଜ ମେଡାଲ ଫେରାଇ ନେବାକୁ କହିଲେ ଆନ୍ଦୋଳନରେ ବସିଥିବା କୁସ୍ତିଯୋଧ୍ୟା, କାହିଁକି ଜାଣନ୍ତୁ

ନିଜ ମେଡାଲ ଫେରାଇ ନେବାକୁ କହିଲେ ଆନ୍ଦୋଳନରେ ବସିଥିବା କୁସ୍ତିଯୋଧ୍ୟା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଯିଏ ଅଭିଯୁକ୍ତ, ଯାହା ନାଁରେ ମାମଲା ରୁଜୁ ହୋଇଛି ପୁଲିସ୍‌ ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ହେଲେ ଆମ ସହ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଉଛି। ଯଦି ଆମର କିଛି ସମ୍ମାନ ନାହିଁ ତା’ ହେଲେ ଆମ ସମ୍ମାନ ଫେରାଇ ନିଅ । ଏପରି ସମ୍ମାନକୁ ପାଖରେ ରଖି ମୁଁ ଗର୍ବିତ ହେବାକୁ ଚାହୁଁନି ।’ ଏ ଦେଶରେ ନିୟମ କିଛି ଥିବା ପରି ମନେ ହେଉ ନାହିଁ ବୋଲି କହିଛନ୍ତି ଦେଶର ଷ୍ଟାର ରେସଲର ବଜରଙ୍ଗ ପୁନିଆ । ଗତ ରାତିରେ ପୁଲିସ୍‌ ଯେପରି ଭାବେ ସେମାନଙ୍କୁ ଧସ୍ତାଧସ୍ତି କରିବା ସହ ବାଡ଼େଇବାକୁ ପଛାଇଲା ନାହିଁ ସେ କଥା କହି କାନ୍ଦି ପକାଇଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି, ବର୍ଷା ଯୋଗୁ ଧାରଣାସ୍ଥଳ ଓଦା ହୋଇ ଯାଇଥିବାରୁ ଆପ୍‌ ବିଧାୟକ ସୋମନାଥ ଭାରତୀ ଆମ ପାଇଁ ଫୋଲ୍ଡିଂ ବେଡ୍‌ ଆଣିଥିଲେ। ଏହାକୁ ନେଇ ପୁଲିସ୍‌ ଆମକୁ ଆଖିବୁଜା ପିଟିଥିବା ବେଳେ ସୋମନାଥ ଭାରତୀଙ୍କୁ ବି ଉଠାଇ ନେଇଛି। ହେଲେ ଯିଏ ପ୍ରକୃତ ଅଭିଯୁକ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

 ଅପରପକ୍ଷେ, ରେସଲର ଙ୍କ ସମସ୍ତ ଅଭିଯୋଗକୁ ଦିଲ୍ଲୀ ପୁଲିସ୍‌ ଖଣ୍ଡନ କରିଛି। ପୁଲିସ୍‌ କହିବାନୁଯାୟୀ, ଜନ୍ତରମନ୍ତରରେ ରେସଲରଙ୍କ ଧାରଣା ଚାଲିଥିବା ବେଳେ ଆପ୍‌ ବିଧାୟକ ବିନା ଅନୁମତିରେ ସେଠାକୁ ବେଡ୍‌ ଆଣିଥିଲେ। ଏହାକୁ ବାରଣ କରିବାରୁ ଖେଳାଳି ଆକ୍ରାତ୍ମକ ହୋଇ ପଡ଼ିଥିଲେ। ଏହାପରେ ଏକ ମାମୁଲି ବିବାଦ ହୋଇଥିଲା ଓ ସୋମନାଥ ଭାରତୀଙ୍କ ସମେତ ୨ ଜଣଙ୍କୁ ପୁଲିସ୍‌ ହେପାଜତରେ ରଖା ଯାଇଛି।