ଝାରସୁଗୁଡା ଉପନିର୍ବାଚନ: ରୋଡ ସୋରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଝିଲିପାଲି ପଞ୍ଚାୟତରେ ଅନୁଷ୍ଠିତ ଜନସମାବେଶ ଓ ଝାରସୁଗୁଡା ସହର ବସ ଷ୍ଟାଣ୍ଡରେ ଆୟୋଜିତ ରୋଡ ସୋରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ ଶିଳ୍ପ ସମୃଦ୍ଧ ଝାରସୁଗୁଡାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାନପଡିବା ଏବଂ ନାବାଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଓ ହତ୍ୟା ହେବା ପ୍ରସଙ୍ଗ ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି ।
ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି । କଳାପାହାଡିଆମାନେ ଓଡ଼ିଶାର ଯୁବକ, ସ୍ୱାର୍ଥ ଓ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଓଡ଼ିଶାକୁ ଭୂଲୁଣ୍ଠିତ କରିବାର ଷଡଯନ୍ତ୍ର କରାଯାଉଛି। ଓଡ଼ିଶାରେ ସ୍ଥାଣୁ ଓ ଲୋକବିରୋଧୀ ଶାସନ ଚାଲିଛି । ଅସମାଜିକ ତତ୍ତ୍ୱମାନେ ଓଡ଼ିଶାରେ ଆସି ରହୁଛନ୍ତି । ଏଠି ଅପରାଧୀମାନଙ୍କୁ କିଏ ସୁରକ୍ଷା ଯୋଗାଇ ଦେଉଛି ? ଗୁଡ୍ଡୁ ମୁସଲିମ ବରଗଡ଼ରେ କାହା ସାହସରେ ଲୁଚିଲା ? ରାଜା ଖାନ କିଏ ? ଏହା ଆଜିର ପ୍ରସଙ୍ଗ ହୋଇଛି ।ଯେଉଁମାନେ ସମ୍ବଲପୁରରେ ଅଶାନ୍ତି କଲେ ସେମାନେ ଝାରସୁଗୁଡାକୁ ଅଶାନ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି । ମଙ୍ଗଲ ବଜାର ମାଇନରିଟି କମ୍ୟୁନିଟି ଅଞ୍ଚଳରେ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ଯେଉଁ ବିରୋଧ ହେଲା ଏବଂ ଷଡ଼ଯନ୍ତ୍ର ହେଲା ତା’ର ଲିଙ୍କ୍ ଗୁଡ଼ୁ ମୁସଲିମ୍ ସହ ଅଛି। ଓଡ଼ିଶାର ଅସ୍ମିତା ଓ ଝାରସୁଗୁଡାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିଜେପିର ଲଢେଇ ଜାରୀ ରହିବ ।
ଝାରସୁଗୁଡା ହେଉଛି ପଛୁଆ ଓ ଜନଜାତି ବହୁଳ ଅଞ୍ଚଳ । ରାଜ୍ୟ ସରକାର ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ତଥା ଶିକ୍ଷା ଓ ଚାକିରିରେ ସଂରକ୍ଷଣ ନ ଦେଇ ସର୍ଭେ କରିବାର ପ୍ରହସନ କରୁଛନ୍ତି । ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା, ପାଉଁଶ କାରଣରୁ ପ୍ରଦୂଷଣ ସମସ୍ୟା,ଏଲ ଏନ କଲେଜକୁ ସରକାରୀ ମାନ୍ୟତା, ଡିଏମଏଫ ପାଣ୍ଠିର ଦୁରୂପଯୋଗ, ଯୁବକଙ୍କୁ ରୋଜଗାର, ଦୁର୍ନୀତି, ଶିଳ୍ପ ଅଞ୍ଚଳରେ ପୁଞ୍ଜିନିବେଶ ସହ ଶାନ୍ତି ବଜାୟ ରଖିବା ଆଜି ଝାରସୁଗୁଡାର ଉପନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି। ମୋଦି ସରକାର ଜନଜାତିଙ୍କ ପାଇଁ ଦେଉଥିବା ଟଙ୍କା କୁଆଡେ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ମାଆ ସମଲେଇଙ୍କ ମାଟି, ବୀର ସଂଗ୍ରାମୀଙ୍କ ଜନ୍ମଭୂମି ତଥା ବୀର ସୁରେନ୍ଦ୍ର ସାଏ ଓ ଶହୀଦ କରୁଣାକର ସିଂହଙ୍କ ପବିତ୍ର ଜନ୍ମମାଟିକୁ ଆସିବା ମୋର ସୌଭାଗ୍ୟ ବୋଲି କହିବା ସହ ଏହି ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ଆଗାମୀ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ।




admin 